କରୋନା ନେଲା ଅରୁଣ ଦେଙ୍କ ଜୀବନ
କରୋନା ନେଲା ଅରୁଣ ଦେଙ୍କ ଜୀବନ
ବାଲେଶ୍ୱର : ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଶା ରାଜନୀତିରେ ସକ୍ରିୟ ଥିବା ତଥା ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ରାଜନେତା ଅରୁଣ ଦେଙ୍କର ଗତକାଲି ସନ୍ଧ୍ୟା ୭ଟା ୨୦ ମିନିଟରେ ଭୁବନେଶ୍ୱରଠାରେ ଦେହାନ୍ତ ଘଟିଛି । ତାଙ୍କୁ ୭୬ ବର୍ଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୯ ତାରିଖରୁ ସେ ଆମ୍ରି ହସପିଟାଲରେ ଚିକିତ୍ସାଧୀନ ଥିଲେ । କୋଭିଡ ଓ ନିମୋନିଆଜନିତ କାରଣରୁ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇ ପଡ଼ିବାରୁ ତାଙ୍କୁ ଜୀବନରକ୍ଷାକାରୀ ବ୍ୟବସ୍ଥା ମଧ୍ୟରେ ରଖାଯାଇଥିଲା । ତେବେ ଡାକ୍ତରମାନଙ୍କ ପ୍ରୟାସ ଯୋଗୁଁ ସେ ସୁସ୍ଥ ହୋଇ ଜୁଲାଇ ୧୬ ତାରିଖରେ କ୍ୟାବିନକୁ ଆସିଥିଲେ । ଆଉ କିଛିଦିନ ପରେ ସେ ଡାକ୍ତରଖାନାରୁ ଘରକୁ ମଧ୍ୟ ଫେରିଥାନ୍ତେ । ହେଲେ ଅପରାହ୍ନରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଆରମ୍ଭ କରିଥିଲା । ଆଇସିୟୁରେ ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଆଉ କାମ କରିନଥିଲା । ଶେଷରେ ସନ୍ଧ୍ୟା ୭ଟା ୨୦ରେ ବାଲେଶ୍ୱର ମାଟିର ଏହି ଲୋକପ୍ରିୟ ରାଜନେତାଙ୍କ ମୃତୁ୍ୟ ଘୋଷଣା କରିଥିଲେ ହସପିଟାଲ କର୍ତ୍ତୃପକ୍ଷ । ଅରୁଣଙ୍କ ନିଧନରେ ଗୋଟିଏ ଯୁଗର ଅବସାନ ଘଟିଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା ଆଦି ଏକାଧିକ ଭାଷାରେ ଦକ୍ଷତା ରଖିଥିବା ତଥା ବାମପନ୍ଥୀ ବିଚାରଧାରାରେ ବିଶ୍ୱାସ ରଖୁଥିବା ଏହି ବରିଷ୍ଠ ରାଜନୀତିଜ୍ଞ କେବଳ ରୋକଠୋକ ସ୍ପଷ୍ଟବାଦୀ ନଥିଲେ, ରାଜନୀତିରେ ଥିଲେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା । ଆଜୀବନ ଅବିବାହିତ ଥିବା ଅରୁଣଙ୍କ ପରଲୋକରେ ଜନ୍ମମାଟି ବାଲେଶ୍ୱର ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ରାଜନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାନସଭାକୁ ଯାଇଥିବା ଅରୁଣ ସିପିଆଇରୁ ୩ ଥର, ସ୍ୱାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ଓଡ଼ିଶା ଗଣ ପରିଷଦରୁ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୧ ମସିହାରେ କମୁ୍ୟନିଷ୍ଟ ପାର୍ଟିରେ ଯୋଗଦେଇ ୧୯୯୪ ମସିହା ଯାଏ ଏହି ଦଳର ପ୍ରମୁଖ ନେତା ଭାବରେ ସାରାରାଜ୍ୟରେ ରାଜନୀତିରେ ସକ୍ରିୟ ଥିଲେ । ଫକୀରମୋହନ କଲେଜରେ ପଢ଼ିବା ସମୟରୁ ତାଙ୍କର ରାଜନୈତିକ ଜୀବନର ଅୟମାରମ୍ଭ ହୋଇଥିଲା । ୧୯୭୪ ମସିହାରେ ବାଲେଶ୍ୱର ଆସନରୁ ପ୍ରଥମଥର ପାଇଁ ସିପିଆଇ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଅରୁଣ । ପରବର୍ତ୍ତୀ ସମୟରେ ୧୯୮୦ ଓ ୧୯୯୦ ମସିହାରେ ସିପିଆଇ, ୧୯୯୫ରେ ସ୍ୱାଧୀନ ଓ ୨୦୦୪ରେ ଓଡ଼ିଶା ଗଣ ପରିଷଦରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ଏନସିପି, ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବାବେଳେ ଗତବର୍ଷ ସେ ବିଜେଡିକୁ ଫେରିଥିଲେ ।




admin 