କରୋନା ଗବେଷଣାରେ ନୂଆ ଆବିଷ୍କାର
କରୋନା ଗବେଷଣାରେ ନୂଆ ଆବିଷ୍କାର
ଲଣ୍ଡନ: କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ଦ୍ୱାରା ବିଶ୍ୱବ୍ୟାପୀ ଦ୍ରୁତ ସଂକ୍ରମଣ ଜାରି ରହିଛି । ଆମେରିକା ଓ ଇଂଲଣ୍ଡ ଏହାଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। କିନ୍ତୁ କୋଭିଡ୍-୧୯ର ଲକ୍ଷଣ ଓ ରୂପାନ୍ତରଣ ଗବେଷକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଛି । କେତେକ ଦେଶରେ ଏହା ବହୁ ଲୋକଙ୍କୁ ଆକ୍ରାନ୍ତ କରିବା ସହ ଅନେକ ଲୋକଙ୍କୁ ମାରୁଥିବା ବେଳେ ଅନ୍ୟ କେତେକ ଦେଶରେ ମୃଦୁ ସଂକ୍ରମଣ ଘଟିବା ସହ ମୃତୁ୍ୟସଂଖ୍ୟା ନଗଣ୍ୟ ରହୁଛି।
ସ୍ୱିଡେନର ଗବେଷକମାନେ ଦାବି କରିଛନ୍ତି ଯେ, କୋଭିଡ୍ ସଂକ୍ରମଣଜନିତ ଭୟାବହତାକୁ ୨୦ ପ୍ରତିଶତ କମାଉଥିବା ଏକ ଜିନ୍ ସେମାନେ ଆବିଷ୍କାର କରିଛନ୍ତି । ଏହି ଭୂତାଣୁ କାହିଁକି କେତେକ ଲୋକଙ୍କୁ ସାଂଘାତିକ ଓ କେତେକ ଲୋକଙ୍କୁ ସାମାନ୍ୟ ପ୍ରଭାବିତ କରୁଛି ତା’ର କାରଣ ବି ସେମାନେ ଆବିଷ୍କାର କରିଛନ୍ତି । ସେମାନଙ୍କର ଏହି ଆବିଷ୍କାର ଭବିଷ୍ୟତରେ ସଫଳ ଟିକା ପ୍ରସ୍ତୁତିରେ ସାହାଯ୍ୟ କରିବ ବୋଲି ସେମାନେ କହିଛନ୍ତି ।
ବୈଜ୍ଞାନିକମାନେ କହିଛନ୍ତି ଯେ, ସେମାନେ ଏକ ଜିନ୍ ଆବିଷ୍କାର କରିଛନ୍ତି, ଯାହାର ଲୋକଙ୍କ ଜାତୀୟତା ଓ ସାଂସ୍କୃତିକତା ସହ ସମ୍ବନ୍ଧ ଅଛି । ଅର୍ଥାତ୍ ଜାତୀୟତା ଭେଦରେ ଏହି ଜିନରେ କିଛି ପରିବର୍ତ୍ତନ ଦେଖାଦେଇଥାଏ । ୟୁରୋପୀୟ-ମୂଳ ଲୋକଙ୍କଠାରେ ପ୍ରତି ତିନିଜଣରେ ଜଣଙ୍କଠାରେ ଏହି ଜିନ୍ ଅଛି । ଆଫ୍ରିକୀୟ ଲୋକଙ୍କଠାରେ ପ୍ରତି ୧୦ ଜଣରେ ୮ ଜଣଙ୍କଠାରେ ଏହା ଅଛି । ଏହି ଜିନ୍ ଆମ ଶରୀରକୁ ଏକ ପ୍ରୋଟିନ୍ ତିଆରି କରିବା ଲାଗି ଆଦେଶ କରେ, ଯାହା ସାର୍ସ-କୋଭ୍-୨ ଭୂତାଣୁକୁ ନଷ୍ଟ କରିଦିଏ । ଏହି ଜିନ୍ ମଧ୍ୟ ଉକ୍ତ ଓଏଏସ୍-୧ ପ୍ରୋଟିନର ଦୈର୍ଘ୍ୟ କେତେ ହେବ ତାହା ନିର୍ଣ୍ଣୟ କରେ । ଦୈର୍ଘ୍ୟ ଅଧିକ ହେଲେ ତାହା ଭୂତାଣୁକୁ ସହଜରେ ନଷ୍ଟ କରିପାରେ । ନେଚର ଜେନିଟିକ୍ସ ପତ୍ରିକାରେ ଏହି ଅଧ୍ୟୟନର ରିପୋର୍ଟ ପ୍ରକାଶ ପାଇଛି ।




admin 