ଏହି ଦିନ ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ

ଏହି ଦିନ ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ

ଏହି ଦିନ ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆସନ୍ତା ୨୬ତାରିଖରେ ବିଜେଡି ନିଜର ୨୫ତମ ପ୍ରତିଷ୍ଠା ଦିବସକୁ ଭବ୍ୟ ଆକାରରେ ପାଳନ କରିବ। ଏହାସହିତ ନିର୍ବାଚନୀ ବର୍ଷରେ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ନିମନ୍ତେ ବର୍ଷତମାମ ବିଭିନ୍ନ ସାଂଗଠନିକ କାର୍ୟ୍ୟକ୍ରମ ମଧ୍ୟ ହାତକୁ ନେବାକୁ ନିଷ୍ପତ୍ତି ନେଇଛି । ଗତକାଲି ସନ୍ଧ୍ୟାରେ ନବୀନ ନିବାସ ଓ ଆଜି ସକାଳେ ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ନେତାମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬ତାରିଖରେ ଦଳର ୨୫ତମ ପ୍ରତିଷ୍ଠା ଦିବସକୁ ରାଜ୍ୟସ୍ତରରେ ପାଳନ କରାଯିବ । ଏଥିରେ ବ୍ଲକ ଓ ପୌରାଂଚଳର ଦଳୀୟ କର୍ମୀମାନଙ୍କୁ ଡକାଯିବ । ପ୍ରାୟ ଏକ ଲକ୍ଷ କର୍ମୀଙ୍କ ସମାବେଶ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହିତ ନିଜର ୨୫ତମ ପ୍ରତିଷ୍ଠା ଦିବସକୁ ବର୍ଷତମାମ ବ୍ଲକସ୍ତରରେ ବିଭିନ୍ନ ସମୟରେ ଭବ୍ୟ ଆକାରରେ ପାଳନ କରି ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି ସହ ସାଧାରଣ ଲୋକଙ୍କ ସଙ୍ଗେ ଯୋଡ଼ି ହେବାକୁ ରଣନୀତି ପ୍ରସ୍ତୁତି ହୋଇଛି । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଜେଡି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର ସବୁ ବର୍ଗର ନେତାମାନଙ୍କୁ ଏକଜୁଟ କରି ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରେ ଏନେଇ ନବୀନ ନିବାସରେ ପ୍ରାରମ୍ଭିକ ବୈଠକ ହେବା ପରେ ଆଜି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ବାସଭବନରେ ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ମହିଳା ୱିଙ୍ଗ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଅନ୍ୟମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରସ୍ତାବ ଉପରେ ବିଚାରବିମର୍ଶ ହୋଇଥିଲା ଓ ଏନେଇ ବିଧିବଦ୍ଧ ଭାବେ ନବୀନଙ୍କୁ ଅବଗତ କରାଯାଇଛି । ତେବେ ଆସନ୍ତା ୧୮ତାରିଖରେ ପୁଣିଥରେ ଏକ ବୈଠକ ବସି ଚୂଡ଼ାନ୍ତ କାର୍ୟ୍ୟକ୍ରମ ସ୍ଥିର କରାଯିବ ବୋଲି ଜଣାପଡ଼ିଛି ।