ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ
ବଲାଙ୍ଗିର: ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି କେନ୍ଦ୍ରୀୟ କଂଗ୍ରେସ ଟିମ୍ । ଏଆଇସିସି ମୁଖପାତ୍ର ତଥା ମିଡିଆ ସେଲ୍ ମୁଖ୍ୟ ରଣଦୀପ ସୁର୍ଯେ୍ୟୱାଲା ଗଣମାଧ୍ୟମକୁ କହିଛନ୍ତି, ପବିତ୍ର ଓଡ଼ିଶା ମାଟିରେ ଜଣେ ଝିଅକୁ ଏଭଳି ନିର୍ମମ ଭାବେ ହତ୍ୟା କରାଯିବାକୁ କେହି ବରଦାସ୍ତ କରିପାରିବେନି । ଏହି ଘଟଣାରେ ଦୋଷୀଙ୍କୁ ଫାଶି ଦିଆଯିବା ଦରକାର । ଏହି ହତ୍ୟା ଷଡ଼ଯନ୍ତ୍ରରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ତାଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଦଫା ଲଗାଯାଉ । ୧୨୦ (ବି) ଦଫା ଲାଗୁ କରି ମାମଲା ରୁଜୁ କରାଯିବା ସହ ତୁରନ୍ତ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଉ । ହାଇକୋର୍ଟ ତତ୍ତ୍ୱାବଧାନରେ ମାମଲାର ଏସଆଇଟି ତଦନ୍ତ କରାଯାଉ । ମମିତାଙ୍କ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ତାଙ୍କ ପରିବାର ସହ କାନ୍ଧ ମିଶାଇ କଂଗ୍ରେସ ଛିଡ଼ା ହୋଇ ରହିବ । ନ୍ୟାୟ ନ ମଳିବା ଯାଏ ଲଢେ଼ଇ ଜାରି ରହିବ । ସୁର୍ଯେ୍ୟୱାଲା କହିଛନ୍ତି, ଏହି ଜଘନ୍ୟ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ନବୀନ ସରକାର ଆଗ୍ରହ ଦେଖାନାହାନ୍ତି । ନଚେତ୍ ତୁରନ୍ତ ମନ୍ତ୍ରୀଙ୍କୁ ହଟାଯିବା ସହ ତାଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଦଫାରେ ମାମଲଶ ରୁଜୁ ହେବା ଆବଶ୍ୟକ । ଏହାସହ ମମିତାଙ୍କ ପରିବାରକୁ ସରକାର ଅନୁକମ୍ପାମୂଳକ ସହାୟତା ବାବଦକୁ ସର୍ବନିମ୍ନ ୧ କୋଟି ଟଙ୍କା ପ୍ରଦାନ କରିବା ଉଚିତ । ମମିତାଙ୍କ ଭାଇକୁ ସରକାରୀ ଚାକିରି ଦିଆଯାଉ । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡ଼ିବେ । କଂଗ୍ରେସ ଦାବି କରୁଛି ଯେ ୬ ମାସ ଏହି ମାମଲାର ବିଚାର ୬ ମାସ ଭିତରେ ସାରି ଦୋଷୀଙ୍କୁ ଫାଶି ଦେବା ପାଇଁ ସରକାର ତପôରତାମୂଳକ ପଦକ୍ଷେପ ନିଅନ୍ତୁ । ଆଜି ସକାଳେ ସୁର୍ଯେ୍ୟୱାଲା ଟ୍ୱିଟ୍ କରି ନବୀନ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି, ପବିତ୍ର ଜଗନ୍ନାଥଧାମ ଭୂମିରେ ମମିତା ମେହେରଙ୍କ ଭଳି ଜଣେ ନୀରିହ ଝିଅ ଉପରେ ଯେଉଁଭଳି ନିର୍ମମ ହତ୍ୟା କରାଯାଇଛି, ସେଥିରେ ଛାତି ଥରିଯାଉଛି । ହେଲେ ରାଜ୍ୟର ନବୀନ ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛି । କଂଗ୍ରେସର ଏହି ପ୍ରତିନିଧି ଦଳରେ ସୁର୍ଯେ୍ୟୱାଲାଙ୍କ ସହ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ବଲାଙ୍ଗିରର ଝରନି ଗାଁକୁ ଯାଇ ମମିତାଙ୍କ ପରିବାରକୁ ଭେଟିଛନ୍ତି । ପରିବାର ଲୋକଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ନରସିଂହ କହିଛନ୍ତି, ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆବଶ୍ୟକ ହେଲେ ପୁଣି କଳା କୋର୍ଟ ପିନ୍ଧିବି । ପୂର୍ବରୁ ମଧ୍ୟ ନରସିଂହ ଏ ନେଇ ସୂଚନା ଦେଇଥିଲେ । ଆଜି ଅପରାହ୍ନରେ ଏ ପ୍ରସଙ୍ଗ ନେଇ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ।