ସୌମ୍ୟଙ୍କ ଷ୍ଟାଣ୍ଡ କ୍ଲିୟର : କାର୍ଯ୍ୟାନୁଷ୍ଠାନକୁ ପରୱା ନାହିଁ

ସୌମ୍ୟଙ୍କ ଷ୍ଟାଣ୍ଡ କ୍ଲିୟର : କାର୍ଯ୍ୟାନୁଷ୍ଠାନକୁ ପରୱା ନାହିଁ

ସୌମ୍ୟଙ୍କ ଷ୍ଟାଣ୍ଡ କ୍ଲିୟର : କାର୍ଯ୍ୟାନୁଷ୍ଠାନକୁ ପରୱା ନାହିଁ

ଭୁବନେଶ୍ୱରରୁ ବେଲାଳସେନ : ସମ୍ପ୍ରତି ଖଣ୍ଡପଡ଼ା ବିଜେଡ଼ି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ବିଜେଡ଼ିରେ ହଇଚଇ ସୃଷ୍ଟି ହୋଇଛି  । ସୌମ୍ୟଙ୍କ ବିରୋଧୀମାନେ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି  । କେତେକ ଗଣମାଧ୍ୟମ ବି ସେଇ ଧାରାରେ ପଡ଼ିଛନ୍ତି  । କିନ୍ତୁ ବାସ୍ତବ କଥାଟି ହେଲା କାର୍ଯ୍ୟାନୁଷ୍ଠାନକୁ ସୌମ୍ୟରଂଜନ ଆଦୌ ପରୱା କରୁନାହାନ୍ତି । ଯେଉଁଥିପାଇଁ ସେ ବେଫିକର ଥିବାବେଳେ ଆଗକୁ ଆହୁରି ବିସ୍ଫୋରକ ମନ୍ତବ୍ୟ ଦେବେବୋଲି କୁହାଯାଉଛି  ।

କେତେକ ଗଣମାଧ୍ୟମରେ ଚର୍ଚ୍ଚା ହେଲା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଭଳି ସୌମ୍ୟ ଦଶା ଭୋଗିବେ  । ଏନେଇ ଜଣେ ନେତା କହିଛନ୍ତିଯେ, ନବୀନ କି କାର୍ଯ୍ୟାନୁଷ୍ଠାନ ନେବେ ? ନବୀନ କ’ଣ ତାଙ୍କ ବିଧାୟକ ପଦ ନେଇଯିବେ ? ଏହାର ଉତର ହେଉଛି ନାଁ  । ୨୦୨୪ ପର୍ଯ୍ୟନ୍ତ ସୌମ୍ୟ ବିଧାୟକ ରହିବା ନିଶ୍ଚିତ  । ବରଂ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉନଥିବାରୁ ପଂଚାୟତ ନିର୍ବାଚନ ପୂର୍ବରୁ ସେ ଏଭଳି ମନ୍ତବ୍ୟ ଦେଇ ବିଜେଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କହିଲେ ଭୁଲ ହେବନାହିଁ  । ଖାଲି ବବି ଦାସ ନୁହଁନ୍ତି ପାଣ୍ଡିଆନଙ୍କୁ ଟାର୍ଗେଟ କରି ସେ ନିଜର ଷ୍ଟାଣ୍ଡ କ୍ଲିୟର କରିସାରିଛନ୍ତି  । ଢେ଼ର ହେଇଗଲା ବିଜେଡ଼ିର ହାଁ ଜୀ ରାଜନୀତି  । ବିଜେଡ଼ିର ହାଁ ଜୀ ରାଜନୀତି ପାଇଁ ସେ ସଫଳତା ଯେତିକି ପାଇଛନ୍ତି ସେତିକି ସମାଲୋଚିତ ବି ହୋଇଛନ୍ତି  । ବହୁବାର ହାରିବା ପରେ ବିଜେଡ଼ି ଆଉ ନବୀନଙ୍କ ଦୟାରୁ ସେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇପାରିଥିଲେ  । ସେହିପରି ନିଜର ପ୍ରିୟ ଖଣ୍ଡପଡ଼ାରୁ ବିଧାୟକ ହେବାର ସ୍ୱପ୍ନ ବି ସାକାର ହୋଇଛି  । ଅତଏବ ସୌମ୍ୟବାବୁ ଗଣତନ୍ତ୍ରର ତିନି ମନ୍ଦିର ଲୋକସଭା, ରାଜ୍ୟସଭା ଓ ବିଧାନସଭାକୁ ଯିବାର ସୌଭାଗ୍ୟ ପାଇଛନ୍ତି  । ଖୁବ କମ ନେତାଙ୍କୁ ଏହି ସଫଳତା ମିଳିଥାଏ  ।

କିନ୍ତୁ ଏହା ବଦଳରେ ସେ ଅନେକ କିଛି ହରାଇଛନ୍ତି  । ପ୍ରଥମତଃ ହେଲା ଯେଉଁ ବିଜେଡ଼ିକୁ ସେ ସବୁବେଳେ ସମାଲୋଚନା କରି ଆସୁଥିଲେ, ଯେଉଁ ଭାଷା ଆନ୍ଦୋଳନକୁ ନେଇ ସେ ନବୀନଙ୍କ କଠୋର ସମାଲୋଚକ ପାଲଟିଯାଇଥିଲେ ଶେଷରେ ପଦବୀ ପାଇଁ ସେ ପକେଇବା ଛେପ ଢୋକିବାକୁ ବାଧ୍ୟ ହେଲେ । ରାଜ୍ୟରେ ତାଙ୍କ ପ୍ରତିଷ୍ଠିତ ସମ୍ବାଦର ଏକ ନାଁ ରହିଛି  । କିନ୍ତୁ ସମ୍ବାଦ ଭଳି କାଗଜକୁ ବି ସେ ବିଜେଡ଼ିର ପ୍ରଚାରପତ୍ର କରିଦେଲେ  । ଫଳରେ ସମ୍ବାଦର ଚାହିଦା ପୂର୍ବାପେକ୍ଷା କମିଯାଇଥିବା ଦେଖିବାକୁ ମିଳିଛି  । ରାଜ୍ୟର ଆଗଧାଡ଼ିର କାଗଜଗୁଡ଼ିକ ସରକାରୀ ପ୍ରଚାରପତ୍ର ପାଲଟି ଯାଇଥିବାରୁ ସାଧାରଣ ପାଠକଙ୍କ ମନରେ ସ୍ୱାଭାବିକ ଭାବେ କ୍ଷୋଭ ପ୍ରକାଶ ପାଇଥିଲା  । ଖାଲି ସେତିକିନୁହେଁ ବିଜେଡ଼ିକୁ ପ୍ରଶଂସା କରିବା ସହ ଖୁସି କରିବା ପାଇଁ ବିଜେପିକୁ କଟୁ ସମାଲୋଚନା କରିଥିଲା ସମ୍ବାଦ  । ଯେଉଁଥିପାଇଁ ବିଜେପି ବିଜ୍ଞାପନ ବନ୍ଦ କରିଦେଇଥିଲା  । ଏବେ ସୌମ୍ୟବାବୁଙ୍କ ମନରୁ ବିଜେଡ଼ି ଭୂତ ଧିରେଧିରେ ଓହ୍ଲାଇବାରେ ଲାଗିଛି  । ଗଣମାଧ୍ୟମର ପ୍ରକୃତ କାର୍ଯ୍ୟ କ’ଣ ସେ ମର୍ମେମର୍ମେ ଅନୁଭବ କରିଛନ୍ତି  । ତେଣୁ ଆଉ ସେ ବିଜେଡ଼ିର ବଚସ୍କର ନପାଲଟି ପୂର୍ବଭଳି ସତସାହସର ମତ ପ୍ରକାଶ କରିବାକୁ ନିଷ୍ପତି ନେଇସାରିଛନ୍ତି  । ନବୀନଙ୍କ ଆଡୁ କି ଦଳ ପଟୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେଥିପ୍ରତି ସେ ପରବାଏ କରୁନାହାନ୍ତି  ।

ସେହିପରି ସୌମ୍ୟ ବୈଜୟନ୍ତ ଓ ଦାମଙ୍କ କଥାକୁ ବି ନଜର ଅନ୍ଦାଜ କରିନାହାନ୍ତି  । ବୈଜୟନ୍ତ ପାଣ୍ଡିଆନଙ୍କୁ ଏତେ ସମାଲୋଚନା କରିବା ପରେ ବିଜେଡ଼ି ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୟ କରିଥିଲା  । ବୈଜୟନ୍ତ ନିଜ ଆଡ଼ୁ ହିଁ ଦଳ ଛାଡ଼ିଥିଲେ  । ସେହିପରି ଦାମବାବୁ ଗତ ୨୦ ବର୍ଷ ଧରି ବହୁବାର ନବୀନ, ପ୍ୟାରୀଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ନେତାଙ୍କୁ ସମାଲୋଚନା କରି ଆସିଛନ୍ତି  । କିନ୍ତୁ ବହୁଦିନ ପରେ ଦଳ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେବି ଭୟରେ ତାଙ୍କ ପୁଅଙ୍କୁ ବିଧାନସଭା ଟିକେଟ ଦେବାକୁ ବାଧ୍ୟ ହୋଇଥିଲା  । ତେଣୁ ନବୀନ ଯେତିକି ରାଗୀ ବୋଲି ଦର୍ଶାଯାଏ ବାସ୍ତବରେ ତାଙ୍କ ମନରେ ସେତିକି ଭୟ ରହିଥାଏ । ଆଗକୁ ଦେଖିବା ସୌମ୍ୟ ଓ ନବୀନଙ୍କ ବଳ କଷାକଷିରେ କିଏ ବାଜିମାରୁଛି ?