ସମ୍ବିଧାନ ଦିବସ କାର୍ୟ୍ୟକ୍ରମରେ ଯୋଗ ଦେଲେନି ବିରୋଧୀ
ସମ୍ବିଧାନ ଦିବସ କାର୍ୟ୍ୟକ୍ରମରେ ଯୋଗ ଦେଲେନି ବିରୋଧୀ
ନୂଆଦିଲ୍ଲୀ: ସମ୍ବିଧାନ ଦିବସରକୁ ବର୍ଜନ କରିଛନ୍ତି ସମସ୍ତ ବିରୋଧୀ ଦଳ। ବିଜେପି ସରକାରକୁ ବିରୋଧ କରିବାକୁ ଯାଇ ସେମାନେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ନାହାନ୍ତି। କଂଗ୍ରେସ ଓ ଟିଏମସି ସମେତ ଦେଶର ୧୪ଟି ବିରୋଧୀ ଦଳ ଏଥିରେ ସାମିଲ ହୋଇଛନ୍ତି। ପରମ୍ପରା ଅନୁଯାୟୀ ସମ୍ବିଧାନ ଦିବସରେ ସବୁ ଦଳର ନେତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ବଶିଷ୍ଟ ବ୍ୟକ୍ତିମାନେ ଯୋଗ ଦିଅନ୍ତି। କିନ୍ତୁ ଏଥର ବିରୋଧ ସେମାନଙ୍କ ଏକତାର ପରିଚୟ ଦେଇଛନ୍ତି। ସମସ୍ତେ ମିଳିତ ଭାବେ ସମ୍ବିଧାନ ଦିବସ କାର୍ୟ୍ୟକ୍ରମକୁ ବୟକଟ କରିଛନ୍ତି।
ଆସନ୍ତା ସପ୍ତାହରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ହିଁ ବିରୋଧୀ ଏକାଠି ହୋଇଛନ୍ତି। ସେମାନେ ସଂସଦରେ ମଧ୍ୟ ଏପରି ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଅଡ଼ୁଆ ବଢ଼ାଇବେ ବୋଲି ସଙ୍କେତ ଦେଇଛନ୍ତି। ଦିନକ ପୂର୍ବରୁ କଂଗ୍ରେସ ମଧ୍ୟ ବିରୋଧୀ ଏକତା କଥା କହିଥିଲା। ସମାନ ଆଭିମୁଖ୍ୟ ରଖୁଥିବା ଦଳଗୁଡ଼ିକ ସହ କଂଗ୍ରେସ ଆଲୋଚନା କରିବ ବୋଲି ବରିଷ୍ଠ ନେତାମାନେ ମତ ରଖିଥିଲେ। ଆଜି କଂଗ୍ରେସ ସହ ଦେଶର ୧୪ଟି ପ୍ରମୁଖ ଦଳ ଏକାଠି ହୋଇ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି।
କେନ୍ଦ୍ରକୁ ଟାର୍ଗେଟ କରି କଂଗ୍ରେସ ସାଂସଦ ମାନିକମ ଟାଗୋର କହିଛନ୍ତି, ଏ ସରକାର ସମ୍ବିଧାନର ସମ୍ମାନ କରନ୍ତି ନାହିଁ। ତେଣୁ ସମ୍ବିଧାନ ଦିବସ କାର୍ୟ୍ୟକ୍ରମ ସେଭଳି ସରକାର ଆୟୋଜନ କରୁଥିବାରୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନିଜ ସେଠାରୁ ଦୂରେଇ ରଖିଛନ୍ତି।
ବିରୋଧୀଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେ କାଲି ରାତିରେ ସମସ୍ତ ୧୪ଟି ବିରୋଧୀ ଦଳର ନେତାମାନଙ୍କ ସହ କଥା ହୋଇଥିଲେ। ଅନ୍ୟପକ୍ଷରେ ଆଜି ସଂସଦର ସେଣ୍ଟ୍ରାଲ ଭବନରେ ସମ୍ବିଧାନ ଦିବସ ପାଇଁ ଆୟୋଜିତ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ନେତା ଏବଂ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ୧୪ଟି ବିରୋଧୀ ଦଳ କାର୍ୟ୍ୟକ୍ରମରେ ଯୋଗଦେଇ ନଥିବାରୁ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ପରିବାର ଲୋକଙ୍କ ପାଇଁ ପାର୍ଟି, ପରିବାର ଦ୍ୱାରା ପାର୍ଟି। କ’ଣ ମୋତେ ଆଉ କିଛି କହିବାର ଅଛି? ଯଦି ଗୋଟିଏ ପରିବାରର ପିଢ଼ି ପରେ ପଢ଼ି ନିର୍ଦ୍ଦିଷ୍ଟ ଦଳକୁ ଚଳାଇବ, ତା’ହେଲେ ଏହା କେବେ ହେଲେ ଗଣତନ୍ତ୍ର ବିଧିବ୍ୟବସ୍ଥା ପାଇଁ ଠିକ୍ ସଙ୍କେତ ନୁହେଁ।




admin 