ରୋଚକ ମୋଡରେ ଭଦ୍ରକ ରାଜନୀତି

ରୋଚକ ମୋଡରେ ଭଦ୍ରକ ରାଜନୀତି

ଭଦ୍ରକ: ସାରା ଭାରତ ବର୍ଷରେ ଏବେ ମୋଦୀ ହାୱାରେ ନିର୍ବାଚନ ପାର ହେବାକୁ ଯୋଜନା କରୁଥିବା ବିଜେପି ପାଇଁ କିନ୍ତୁ ଓଡିଶା ରାଜନୀତିର ପାଣିପାଗ ଠିକ୍ ହୋଇ ପାରୁନି । ରାଜ୍ୟରେ ଅଧିକାଂଶ ସ୍ଥାନରେ ନେତୃତ୍ୱ କନ୍ଦଳ ଓ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି କସରତ । ଭଦ୍ରକ ଜିଲ୍ଲା ପରି ଏକ ରାଜନୈତିକ ସମ୍ବେଦନଶୀଳ ଜିଲ୍ଲାରେ ୫ ଟି ବିଧାନସଭା କ୍ଷେତ୍ର ଓ ଗୋଟିଏ ଲୋକସଭା କ୍ଷେତ୍ର ଥିବା ବେଳେ ଚାନ୍ଦବାଲିରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମିଲ ଓ ଧାମନଗରରେ ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀଙ୍କ ବ୍ୟତୀତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଦ୍ୱନ୍ଦ୍ୱ ରହିଥିବା ବେଳେ କାହାକୁ ମିଳିବ ଏଠାରେ ଦଳୀୟ ଟିକଟ ତାହା ସ୍ପଷ୍ଟ ହୋଇନି ଜଣେ ଟିକଟ ପାଇଲେ ଅନ୍ୟ ଜଣେ ନେତା କଣ କରିବେ । ଦଳରେ ରହିବା ନା ଦଳ ଡେଇଁବେ ତାହାକୁ ନେଇ ଚାଲିଛି ଚର୍ଚ୍ଚା । ସେହିପରି ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଡା. ପ୍ରଦୀପ ନାୟକ ଓ ତୁଷାର ଜେନାଙ୍କ ମଧ୍ୟରେ ଚାଲିଛି ପ୍ରାର୍ଥୀ ଚୟନକୁ ନେଇ ଟଣା ଓଟରା । ଏମାନଙ୍କ ମଧ୍ୟରୁ କାହାକୁ ମିଳିବ ଟିକଟ ତାହାକୁ ନେଇ ଜାରି ରହିଛି ସସପେନସ୍ । ଏପରି ଅବସ୍ଥାରେ ଭଦ୍ରକ ପାଇଁ ମନସ୍ମିତା ଖୁଂଟିଆ, ରାଜୀବ ମହାନ୍ତି ଓ ଶରତ ପାଢିହାରୀଙ୍କ ପରି ନେତାଙ୍କ ନାମ ମଧ୍ୟ ବିଧାନସଭା ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି । ସେହପରି ବାସୁଦେବପୁରରେ ଦୀନବନ୍ଧୁ ପତି ଓ ମାଧବନନ୍ଦ ମଲ୍ଲିକଙ୍କ ମଧ୍ୟରେ ଚାଲିଛି ଟିକଟ ଚୟନକୁ ନେଇ ଛକାପଞ୍ଝା ଭଦ୍ରକ ଲୋକସଭା କ୍ଷେତ୍ର ପାଇଁ ଶରତ ଦାସଙ୍କ ନାମକୁ ନେଇ ଚର୍ଚ୍ଚା ସବୁଠାରେ ଆଗରରେ ଥିବା ବେଳେ ତାଙ୍କୁ ପ୍ରାର୍ଥୀ କରିବା ବିଜେପି ଦଳ ପକ୍ଷରୁ ଏକ ପ୍ରକାର ଚୂଡାନ୍ତ ହୋଇଥିବା ବେଳେ ନାମ ଘୋଷଣା ହୋଇ ନଥିବାରୁ ଏହି ଆସନ ନେଇ ମଧ୍ୟ ରହିଛି ଦ୍ୱନ୍ଦ୍ୱ । ଦଳ ଅପେକ୍ଷା କରୁଛି । ବିଜେଡି କିମ୍ବା କଂଗ୍ରେସ ଦଳରୁ କେଉଁ ଟାଣୁଆ ନେତାଙ୍କୁ ଦଳକୁ ଟାଣି ତାଙ୍କୁ ଭଦ୍ରକ ଲୋକସଭା ପ୍ରାର୍ଥୀ କରାଯାଇପାରେ ବୋଲି ଭଦ୍ରକ ବିଜେପି ଶିବିରରେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ।ବିଜେପିର ପ୍ରାର୍ଥୀ ଚୟନକୁ ନେଇ ସେତିକି ସସପେନସ ବଢୁଛି ।