ରାଜ୍ୟସଭାରେ କହିବା ବେଳେ ମୋଦି ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ
ରାଜ୍ୟସଭାରେ କହିବା ବେଳେ ମୋଦି ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ
admin
Feb 9, 2021 - 07:47
Updated: Feb 9, 2021 - 07:47
ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କାଳରେ ବିରୋଧୀଙ୍କୁ କଟାକ୍ଷ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିନ୍ତୁ ବେଶ ଭାବ ବିହ୍ୱଳିତ ହୋଇଯାଇଥିଲେ । ତାଙ୍କର ଆଖି ଛଳଛଳ ହୋଇଯାଇଥିଲା । ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା । କିନ୍ତୁ ମୋଦି କ’ଣ ପାଇଁ ଏଭଳି ଭାବବିହ୍ୱଳ ହୋଇ ଛଳଛଳ ହୋଇଯାଇଥିଲେ ତାହାର କାରଣ ଜାଣିଲେ ଆପଣ ନିଶ୍ଚିତ ଚକିତ ହୋଇଯିବେ ।
ରାଜ୍ୟସଭାରେ ଆଜି ୪ ସାଂସଦ ଗୁଲାବ ନବୀ ଆଜାଦ, ସାମସେର ସିଂହ, ମିର ମହମ୍ମଦ ଫୟାଜ ଓ ନଦୀର ଅହମ୍ମଦଙ୍କ କାର୍ଯ୍ୟକାଳ ସରୁଥିବାବେଳେ ସେମାନଙ୍କୁ ବିଦାୟକାଳୀନ ସମ୍ବଦ୍ଧ୍ୱର୍ନା ଦିଆଯାଇଥିଲା । ଏହି ଅବସରରେ ମୋଦି ନିଜର ବକ୍ତବ୍ୟ ରଖିଥିଲେ । ନିଜ ବକ୍ତବ୍ୟରେ ମୋଦି ୪ ରାଜ୍ୟସଭା ସାଂସଦଙ୍କୁ ପ୍ରଶଂସା କରିଥିଲେ । ତେବେ ଗୁଲାମ ନବୀ ଆଜାଦଙ୍କ ସମ୍ପର୍କରେ କହିବା ବେଳେ ମୋଦି ଭାବବିହ୍ୱଳ ହୋଇଯାଇଥିଲେ ।
ମୋଦି କହିଥିଲେ ଯେ, ଗୁଲାମ ନବୀ ଆଜାଦଙ୍କ ସ୍ଥାନ କେହି ନେଇପାରିବେ ନାହିଁ । କାହିଁକିନା ସେ କେବଳ ନିଜ ଦଳ ପାଇଁ ବ୍ୟସ୍ତ ନୁହଁନ୍ତି ବରଂ ଦେଶ ଓ ଘର ପାଇଁ ବି ବ୍ୟସ୍ତ ରହିଥା’ନ୍ତି ।
ଏହି ଅବକାଶରେ ମୋଦି ଏକ ପୁରୁଣା କଥା ମନେ ପକାଇଥିଲେ । ସେ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଗୁଲାମ ନବୀ ଆଜାଦ ବି ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ । ଆମେ ଦୁହେଁ ଅତ୍ୟନ୍ତ ଘନିଷ୍ଠ ଥିଲୁ । ଏକଦା ଗୁଜୁରାଟର କେତେକ ଯାତ୍ରୀଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ୮ ଜଣ ମୃତୁ୍ୟବରଣ କରିଥିଲେ । ତେବେ ଗୁଲାମ ନବୀ ଆଜାଦ ଏନେଇ ତାଙ୍କୁ ପ୍ରଥମେ ଫୋନ କରିବା ସହ ଘଟଣା ଶୁଣି କାନ୍ଦି ପକାଇଥିଲେ । ତାଙ୍କ ଆଖିରୁ ଲୁହ ବନ୍ଦ ହୋଇନଥିଲା ବୋଲି ମୋଦି କହିଥିଲେ । ଏହି ସମୟରେ ମୋଦି ଭାବୁକ ହୋଇ କିଛି ସମୟ ବାଷ୍ପରୁଦ୍ଧ ହୋଇଯାଇଥିଲେ । ସାରା ସଦନ ନୀରବ ହୋଇଯାଇଥିଲା । ମୋଦିଙ୍କ ଆଖି ବି ଛଳଛଳ ହୋଇଯାଇଥିଲା ।