ମୋଦିଙ୍କ ଲୋକପ୍ରିୟତା ବେଲୁନରେ ଜନତାଙ୍କ ପିନ୍
ମୋଦିଙ୍କ ଲୋକପ୍ରିୟତା ବେଲୁନରେ ଜନତାଙ୍କ ପିନ୍
admin
Feb 10, 2020 - 08:10
Updated: Feb 10, 2020 - 08:10
ଭୁବନେଶ୍ୱର : ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳ ଆସନ୍ତା ମଙ୍ଗଳବାର ପ୍ରକାଶ ପାଇବ । ଯଦି ଏକଜିଟ ପୋଲର ଆକଳନ ଠିକ ହୁଏ ତେବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିଶ୍ଚିତ ଭାବେ ସତର୍କ ଘଂଟି ବୋଲି କୁହାଯାଇପାରିବ । ଏକଦା ବିଜେପି ଛାତି ଫୁଲେଇ ଦାବି କରୁଥିଲା ଅଧା ଭାରତରେ ଆମର ରାଜ ଚାଲିଛି । ଦକ୍ଷିଣ ଭାରତର ପ୍ରମୁଖ ରାଜ୍ୟଗୁଡ଼ିକୁ ଛାଡ଼ିଦେଲେ ଉତର ଭାରତ ଓ ପଶ୍ଚିମ ଭାରତର ବହୁ ପ୍ରମୁଖ ରାଜ୍ୟରେ ବିଜେପି ରାଜ ଚାଲିଥିଲା । ଯେଉଁଥିପାଇଁ ଅମିତ ଶାହାଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ ମୋଦି ଓ ତାଙ୍କ ଦଳର ନେତାମାନେ । ଏବେ ମୋଦି ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି, ଅମିତ ଶାହା ବି ସ୍ୱରାଷ୍ଟ୍ର ମନ୍ତ୍ରୀ ଅଛନ୍ତି । ବିଜେପି ସଭାପତି ନଥିଲେବି ଅମିତ ଶାହା ସବୁ କିଛି ବୁଝୁଛନ୍ତି । ହେଲେ ଏବେ ଲୋକମାନେ ମୋଦି ଓ ବିଜେପିର ଲୋକପ୍ରିୟତାରୂପକ ବେଲୁନରେ ପିନ ଫୋଡ଼ିବା ଆରମ୍ଭ କରିଦେଇଛନ୍ତି ।
ଦକ୍ଷିଣ ଭାରତର କର୍ଣ୍ଣାଟକକୁ ଛାଡ଼ିଦେଲେ ଆଉ କୋଉ ରାଜ୍ୟରେ ବିଜେପି ଉଧେଇ ପାରିନି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନକୁ ମୋଦିଙ୍କ ହାତରୁ ଛଡ଼ାଇ ନେଇଛନ୍ତି ରାହୁଲ ଗାନ୍ଧୀ । ମହାରାଷ୍ଟ୍ର ବି ହାତରୁ ଖସିଯାଇଛି । ଝାରଖଣ୍ଡରେ ବି ଆଉ ପଦ୍ମ ଫୁଟୁନି । ପଂଜାବରେ ବି ପୋଛି ହୋଇଯାଇଛନ୍ତି । ବିହାରରେ ଯେକୌଣସି ସମୟରେ ନୀତିଶ କୁମାର ବିଜେପି ହାତ ଛାଡ଼ିଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ଯେତେ ପେଂଚପାଂଚ କଲେ ବି ମୋଦି ଓ ଶାହାଙ୍କ ଯୋଡ଼ି ପଶ୍ଚିମବଙ୍ଗ ମମତା ଦିଦିଙ୍କୁ ପାରୁନାହାନ୍ତି । ବଡ଼ ରାଜ୍ୟ ଭାବେ କେବଳ ଉତରପ୍ରଦେଶ ଓ ଗୁଜୁରାଟ ହିଁ ବିଜେପି ହାତରେ ରହିଛି । ଦିନେ ଯେଉଁ ଭାରତର ମାନଚିତ୍ରକୁ ଗେରୁଆ ବୋଲି ବିଜେପି କର୍ମୀ ଓ ନେତାମାନେ ଦେଖେଇ ବୁଲୁଥିଲେ ଧିରେଧିରେ ସେହି ମାନଚିତ୍ରରୁ ଗେରୁଆ ରଙ୍ଗ ଉଭେଇବାରେ ଲାଗିଛି ।
ଆଜି ଲଗାତର ଦୁଇଥର କ୍ଷମତାକୁ ଆସିଛନ୍ତି ବୋଲି ବିଜେପି ନେତାମାନେ ଗର୍ବରେ ଛାତି ବାଡ଼ଉଛନ୍ତି । ହେଲେ ସେମାନେ ବୁଝିବା ଦରକାର ବାଜପେୟୀଙ୍କ ଏନଡ଼ିଏକୁ ହଟାଇ ସୋନିଆଙ୍କ ଉପା ମଧ୍ୟ ଦୁଇଥର କ୍ଷମତାସୀନ ଥିଲା । କିନ୍ତୁ ଧିରେଧିରେ ଉପା ହାତରୁ ଗୋଟିକ ପରେ ଗୋଟିଏ ରାଜ୍ୟ ଖସି ଯାଇଥିଲା । ଏବେ ସମାନ ଦଶାରେ ବିଜେପି ଘାଂଟି ହେବା ଆରମ୍ଭ କଲାଣି । ଯଦି ଭୋଟରଙ୍କ ମୁଡ଼ ଦେଖାଯାଏ ସେମାନେ ଆଉ ବିଜେପି ହାତରେ ରାଜ୍ୟ ଟେକିଦେବାକୁ ଚାହୁଁନାହାନ୍ତି । ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ଲୋକମାନେ ପସନ୍ଦ କରୁନାହାନ୍ତି ।
ବିଜେପିର ପରାଭବର କାରଣ କ’ଣ ? ଏହାର ଗୋଟିଏ ଉତର ହେଉଛି କଂଗ୍ରେସ ମୁକ୍ତ ଭାରତର ଆହ୍ୱାନ ଦେଇ ବିଜେପି ନିଜକୁ ଏକଛତ୍ରବାଦ ଦଳ ଭାବେ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଥିଲା । ପ୍ରଧାନମନ୍ତ୍ରୀ ନିଜ ପ୍ରଥମ ଦଫାରେ ଦେଶ ବିକାଶ ଛାଡ଼ି ଦଳ ବିକାଶ କଥା ଚିନ୍ତା କରିଥିଲେ । ଯେଉଁଥିପାଇଁ ଭାରତର ଅର୍ଥନୀତି ଏବେ ତଳକୁ ତଳ ଖସିବାରେ ଲାଗିଛି । ମୋଦି ଏବେ ଭାରତୀୟଙ୍କ ଭାବନାକୁ ଆଖିଆଗରେ ରଖି କେବଳ ଗୋଟି ଚାଳନା କରୁଥିବା ପ୍ରତୀୟମାନ ହେଉଛି । ତେବେ ମୋଦି ମନେ ରଖିବା ଦରକାର ଜଣେ କିଛି ସମୟ ପାଇଁ ଲୋକମାନଙ୍କୁ ବୋକା ବନାଇପାରେ, ହେଲେ ସବୁ ସମୟ ପାଇଁ ନୁହେଁ....