ମାନସ ସ୍ବାଇଁ ହତ୍ୟାକାଣ୍ଡ; ରହସ୍ୟରେ ମେମୋରି ଚିପ୍!

ମାନସ ସ୍ବାଇଁ ହତ୍ୟାକାଣ୍ଡ; ରହସ୍ୟରେ ମେମୋରି ଚିପ୍!

ମାନସ ସ୍ବାଇଁ ହତ୍ୟାକାଣ୍ଡ; ରହସ୍ୟରେ ମେମୋରି ଚିପ୍!

 କଟକ: ଚର୍ଚ୍ଚାରେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ। ସବୁଠୁ ଅଧିକ ଚର୍ଚ୍ଚା ‌ରହସ୍ୟମୟ ମେମୋରି ଚିପ୍‌କୁ ନେଇ। ଏଯାଏ କ୍ରାଇମବ୍ରାଞ୍ଚ ହାତରେ ଲାଗିନି ଏହି ଚିପ୍।  ଗତକାଲି ମାନସଙ୍କ ରଣପୁର ଘରକୁ ଯାଇ ଚିପକୁ ଖୋଜିବା ପରେ ପରେ ବି ତାର ପତ୍ତା ମିଳିନାହିଁ। ଚିପରୁ କିଛି ଫାଇଲ୍ ଉଡ଼ାଇ ଦେଇ ମାନସ ପାଖରେ ରଖିଥିବା କ୍ରାଇମବ୍ରାଞ୍ଚର ସୂଚନା ଥିବା କୁହାଯାଉଛି। ତେବେ ଗତକାଲି ମାନସଙ୍କ ଦରପୋଡ଼ା ଚପଲ ଓ ଇୟରଫୋନକୁ ପରିବାର ଲୋକେ ଚିହ୍ନିଥିଲେ।

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ପଛରେ ରହିଛି ରହସ୍ୟମୟ ୬୦ଟି କ୍ଷୁଦ୍ର ଓ ବାହାଘର ଭିଡିଓ। ସମ୍ପୂର୍ଣ୍ଣା ଓ୍ବେବ୍ପୋର୍ଟାଲରୁ ମାନସ ଚାକିରି ଛାଡ଼ିବାପରେ ଅଫିସ କମ୍ପ୍ୟୁଟରରୁ ଏହି ଭିଡିଓଗୁଡିକୁ ଏକ ମେମୋରି କାର୍ଡରେ ନେଇଯିବା ସହିତ ସେଗୁଡିକୁ ଡିଲିଟ୍ କରି ଦେଇଥିଲେ। ଏହି ଭିଡିଓକୁ ଦେଇଦେବା ପାଇଁ ଶର୍ମିଷ୍ଠା ବାରମ୍ବାର କହିଥିଲେ ବି ମାନସ ତାହା ଫେରାଇନଥିଲେ। ଫଳରେ, ମାନସଙ୍କୁ ଅପହରଣ କରି ଅଫିସ କମ୍ପ୍ୟୁଟରରୁ ଡିଲିଟ୍ ହୋଇଥିବା ଭିଡିଓ ରିକ୍ଭରି କରିବାକୁ ଉଦ୍ୟମ କରାଯାଇଥିଲା। ମାନସଙ୍କୁ ଫେବ୍ରୁଆରି ୭ ତାରିଖ ରାତିରେ ଅପହରଣ କରି ଅଫିସକୁ ଅଣାଯାଇଥିଲା। ଡିଲିଟ୍ ହୋଇଥିବା ଡାଟା ରିକଭରି କରିଦେବାକୁ ମାନସ କହିଥିଲେ। କିନ୍ତୁ, ରିକଭରି ନକରିପାରିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଶର୍ମିଷ୍ଠା କ୍ରାଇମବ୍ରାଞ୍ଚକୁ କହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମାନସ ଶେଷଥର ଜାନୁଆରି ୨୯ ତାରିଖରେ ଏକ ଭଜନ ସୁଟିଂ କରିବାପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ନିରଞ୍ଜନ ସେଠୀ ଓ ଅନ୍ୟ କଳାକାରଙ୍କ ସହିତ ପୁରୀ ଯାଇଥିଲେ। ଠିକ୍ ପରଦିନ ଅର୍ଥାତ୍ ୩୦ ତାରିଖରେ ଚାକିରି ଛାଡ଼ିବା ପୂର୍ବରୁ ଅଫିସ କମ୍ପ୍ୟୁଟରରେ ଥିବା ପାଖାପାଖି ୬୦ଟି କ୍ଷୁଦ୍ର ଭିଡିଓ ଏବଂ ବାହାଘର ଭିଡିଓ ମାନସ ନିଜ ମେମୋରି କାର୍ଡକୁ କପି କରିବାପରେ ଅଫିସ୍ କମ୍ପ୍ୟୁଟରରୁ ଡିଲିଟ୍ କରି ଗାଏବ ହୋଇଯାଇଥିଲେ। ଯେଉଁ ଭିଡିଓ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି, ତାହାକୁ ରିକଭରି କରିବା ପାଇଁ କ୍ରାଇମବାଞ୍ଚ୍ ଅଫିସ କମ୍ପ୍ୟୁଟର ହାର୍ଡଡିସ୍କ୍କୁ ଜବତ କରିବା ସହ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଇଛି। ଡିଲିଟ୍ ହୋଇଥିବା ଭିଡିଓ ଭିତରେ ସମ୍ପୂର୍ଣ୍ଣା ଓ୍ବେବପୋର୍ଟାଲର କେୟାରଟେକର୍ ଝୁନା ଭୋଇଙ୍କ ବି ଏକ ବାହାଘର ଭିଡିଓ ଥିଲା। ଜଣେ ଗ୍ରାହକ ଯେତେବେଳେ ତାଙ୍କୁ ଏକ ଭିଡିଓ ମାଗିଥିଲେ, ଶର୍ମିଷ୍ଠା ଦେଇ ନପାରି ଅଡ଼ୁଆରେ ପଡ଼ିଥିଲେ। ମାନସ ଭିଡିଓ ନଦେବାରୁ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଶର୍ମିଷ୍ଠା କ୍ରାଇମବ୍ରାଞ୍ଚକୁ ଜେରାସମୟରେ କହିଥିବା ଜଣାପଡ଼ିଛି।

ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କୁ ସାକ୍ଷୀ ଭାବେ ଚିହ୍ନଟ କରିଛି। ଏଥିରେ ଶର୍ମିଷ୍ଠାର ଭାଉଜ, ଝୁନାର ସ୍ବାମୀ ଅରୁଣ ଭୋଇ, ଅଫିସର କମ୍ପ୍ୟୁଟର ଅପରେଟର, ଚାନ୍ଦବାଲିର ସାମ୍ବାଦିକ ଶରତ ପଣ୍ଡାଙ୍କ ସମେତ ଭୁବନେଶ୍ବର ଏକନମ୍ବର ମାର୍କେଟରୁ ଝୋଟ ବ୍ୟାଗ, ସୁତୁଲି, ଗ୍ଲୋଭସ ବିକ୍ରି କରିଥିବା ଦୋକାନୀ, ରାଜାସୁନାଖଳାରୁ ଲୁଣ, ଗଇଁତି, ଫାଉଡ଼ା ବିକ୍ରି କରିଥିବା ଦୋକାନୀଙ୍କୁ ବି କ୍ରାଇମବ୍ରାଞ୍ଚ ସାକ୍ଷୀ ଭାବେ ଯୋଡ଼ିଛି। ଏହି ଘଟଣାରେ ସିବିଆଇ ତଦନ୍ତ କରିବା ପାଇଁ ମାନସଙ୍କ ପରିବାର ଲୋକେ ଆଜି ଦାବି କରିଛନ୍ତି।