ମାଛ ବିକୁଛନ୍ତି ମନ୍ଦିର ସେବାୟତ

ମାଛ ବିକୁଛନ୍ତି ମନ୍ଦିର ସେବାୟତ

ମାଛ ବିକୁଛନ୍ତି ମନ୍ଦିର ସେବାୟତ
ଭୁବନେଶ୍ୱର: ଲକଡାଉନର ଘୋର ପ୍ରଭାବ ପଡ଼ିଛି ପେଟପାଟଣାରେ । ବିଶେଷ କରି ପୁରୋହିତ, ସେବାୟତଙ୍କ ରୋଜଗାରରେ ବାଡ ପକାଇ ଦେଇଛି । ମନ୍ଦିରକୁ ଯାତ୍ରୀ, ଯଜମାନ, ଭକ୍ତ ଆସୁ ନଥିବାରୁ ସେବାୟତଙ୍କ ଖୋସଣିକୁ ରେଜା ପଇସାଟିଏ ବି ଆସୁନାହିଁ । ବିବାହ, ବ୍ରତ ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ବନ୍ଦ ଥିବାରୁ ପୁରୋହିତଙ୍କର ମଧ୍ୟ ଅକାଳ ଚାଲିଛି । ଫଳରେ ପିଲାକବିଲା ଚଳାଇବାକୁ କିଛି ସେବାୟତ ନିଜର ପେଷା ବଦଳାଇ ଦେଇଛନ୍ତି । ବଜାରରେ ମାଛ, ପରିବା ବିକି ଘରକରଣା ସମ୍ଭାଳୁଛନ୍ତି । ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରରେ ଥିବା ବହୁ ମନ୍ଦିର ଏବେ ଖାଁ ଖାଁ ପାଲଟିଛି । ରୋଷଶାଳାରେ ଅବଢ଼ା ରନ୍ଧା ହେଉନି କି ଶୁଖିଲା ଭୋଗ ପାଗ ହେଉନାହିଁ । କେବଳ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ହେଉଛି । କିନ୍ତୁ ଭୋଗ ସମର୍ପଣ କରି ଦକ୍ଷିଣା ଦେବାକୁ ଭକ୍ତଙ୍କ ସଂଖ୍ୟା ଶୂନ କହିଲେ ଚଳିବ । ତେଣୁ ରୋଜଗାର ମୋଟ ଉପରେ ନାହିଁ । ଏପଟେ ପରିବାର ଚଳାଇବାରେ ସଂକଟ ଘୋଟି ଆସିଛି । ଏଭଳି ପରିସ୍ଥିତିରେ ମୁକାବିଲା ପାଇଁ କିଛି ଯୁବ ସେବାୟତା ପଦାକୁ ଗୋଡ଼ କାଢ଼ିଛନ୍ତି । ବଢ଼େଇବାଙ୍କ ଛକ, ନାଗେଶ୍ୱର ଟାଙ୍ଗି ହାଟରେ ମାଛ ବେପାର ଖୋଲିଛନ୍ତି । ଅବଶ୍ୟ ମାଛ କାତି ଛଡ଼େଇବା, କାଟିବା ଲାଗି ଅନ୍ୟ ଲୋକ ରଖିଛନ୍ତି । ହେଲେ ମାଛ ବେପାର ସେମାନଙ୍କର ଭଲ ଚାଲିଛି । ବିଭିନ୍ନ ଅଞ୍ଚଳ ବୁଲି ପୋଖରୀରୁ ଜୀଅନ୍ତା ମାଛ ଆଣୁଛନ୍ତି । ଆନ୍ଧ୍ରମାଛ ଠାରୁ ଦେଶୀମାଛର ଚାହିଦା ଭଲ ଥିବାରୁ ସେମାନଙ୍କ ମାଛ ବିକ୍ରି ହୋଇଯାଉଛି । ପାହାନ୍ତାରୁ ଉଠି ମନ୍ଦିରକୁ ଯିବା ପରିବର୍ତ୍ତେ ଆଇଁଷ ବାରରେ ଏବେ ମାଛ ସନ୍ଧାନରେ ଯାଉଛନ୍ତି । ଦିନ ୧୧ଟା ସୁଦ୍ଧା ବିକ୍ରିବଟା ଲାଭ ପଇସାରେ ଘର ସଂସାର ଚଳାଉଛନ୍ତି । ଆଉ କିଛି ସେବାୟତ ମଧ୍ୟ ପରିବା ଓ ଫଳ ଦୋକାନରେ ମାତିଥିବା ଦେଖାଯାଉଛି ।