ଭୂମିହୀନ ଚାଷୀ ବ୍ୟାଙ୍କରୁ କାଳିଆ ଟଙ୍କା ନ ପାଇ ବିଷପିଇ ଜୀବନ ହାରିଲେ
ଭୂମିହୀନ ଚାଷୀ ବ୍ୟାଙ୍କରୁ କାଳିଆ ଟଙ୍କା ନ ପାଇ ବିଷପିଇ ଜୀବନ ହାରିଲେ

ବାଲେଶ୍ୱର: ଅଭାବ ଅନାଟନ ଭିତରେ ଜୀବନ କାଟୁଥିବା ଜଣେ ଭୂମିହୀନ ଚାଷୀ ବ୍ୟାଙ୍କରୁ କାଳିଆ ଟଙ୍କା ନ ପାଇ ବିଷପିଇ ଜୀବନ ହାରିଲେ । ଆଉ ସେହି ଖବର ଶୁଣି ତାଙ୍କ ପତ୍ନୀ ବି ବିଷ ପିଇଦେଲେ । ଗୋଟିଏ ଦିନରେ ଜଳିଗଲା ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଜୁଇ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଅଡା ପଞ୍ଚାୟତ ହଳିସ ଗାଁରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ନିକଟରେ ରାଜ୍ୟ ସରକାର ଭୂମିହୀନ ଚାଷୀଙ୍କ ଆକାଉଣ୍ଟରେ କାଳିଆ ଟଙ୍କା ଜମା କରିଥିଳେ । ସେହି କ୍ରମରେ ଗ୍ରାମର ଭୂମିହୀନ ଚାଷୀ ପର୍ଶୁରାମ ବିଶ୍ୱାଳଙ୍କ ଆକାଉଣ୍ଟକୁ ମଧ୍ୟ କାଳିଆ ଟଙ୍କା ଆସିଥିଲା । ତେବେ ପୂର୍ବରୁ ଥିବା ଋଣ ଟଙ୍କା ପରିଶୋଧ କରିନଥିବାରୁ ଅଡାସ୍ଥିତ ୟୁକୋ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଆକାଉଣ୍ଟ ହେଲଡ କରି ରଖିଥିଲେ । ଫଳରେ ସେ ଟଙ୍କା ଉଠାଇବାରୁ ବଞ୍ଚିତ ହୋଇଥିଲେ । ଜଣେ ଦିନ ମଜୁରିଆ ଭାବେ କାମ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ । ପର୍ଶୁରାମ । ପରିବାର କହିଲେ ବୃଦ୍ଧି ଦିବ୍ୟାଙ୍ଗ ବାପା ନାରାୟଣ ବିଶ୍ୱାଳ, ପତ୍ନୀ କବିତା ଓ ଦୁଇ ବର୍ଷର ଝିଅ ନନ୍ଦିନୀ । ଟଙ୍କା ଆବଶ୍ୟକ ଥିବାରୁ ୩-୪ ଦିନ ପୂର୍ବେ ପୁଣି ବ୍ୟାଙ୍କ ଯାଇ ଟଙ୍କା ଉଠାଇବାକୁ କହିବା ବେଳେ ସେ ଟଙ୍କା ଉଠାଇ ପାରିଲେନି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ରୋକଠୋକ ମନା କରି ଦେଇଥିଲେ । ଏଥିରେ ପର୍ଶୁରାମ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ତାଙ୍କ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଏହି ଖବର ଜାଣିବା ପରେ ପତ୍ନୀ କବିତା ବିଶାଳ ସକାଳେ ବିଷ ପିଇ ଦେଇଥିଲେ । କବିତାଙ୍କୁ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । କବିତା ୪-୫ ମାସର ଗର୍ଭବତୀ ଥିବା କୁହାଯାଉଛି । ଅଭାବ ଅନାଟନରୁ ସ୍ୱାମୀ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ସ୍ତବ୍ଧ କରିଦେଇଛି ।