ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ୱର ବିମାମବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଉପସ୍ଥିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଛନ୍ତି । ଏପରିକି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ବାହାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ।
ରାଷ୍ଟ୍ରପତି ସେଠାରୁ ଦିନ ୧୨ଟା ୨୫ରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସରେ ଯୋଗଦେବେ ।
ଅପରାହ୍ଣ ୪ ଟା ୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ନିଜେ ପାଠ ପଢ଼ିଥିବା ମହାବିଦ୍ୟାଳୟ ଆଜି ବିଶ୍ୱବିଦ୍ୟାଳୟ । ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ରମାଦେବୀ ବିଶ୍ୱବିଦ୍ୟାଳୟ । ୪ ବର୍ଷ ରହି ରମାଦେବୀରେ ପାଠ ପଢ଼ିଥିଲେ ଦ୍ରୌପଦୀ ମୁର୍ମୁ । ଯେଉଁ କଲେଜରେ ପାଠ ପଢ଼ୁଥିଲେ, ସେହିଠି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ରମାଦେବୀରେ କଳାରେ ସ୍ନାତକ ପଢ଼ିଥିଲେ । ଏହି ସମୟରେ ହଷ୍ଟେଲରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତି ନିଜ ସହପାଠିନୀଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ଜଣ ସହପାଠିନୀଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରବେଶ ପଥରୁ ପ୍ରେକ୍ଷାଳୟ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଲାଗି କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।




admin 