ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ହେଭିୱେଟ ଲଢ଼େଇ

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ହେଭିୱେଟ ଲଢ଼େଇ

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ହେଭିୱେଟ ଲଢ଼େଇ
ଭୁବନେଶ୍ୱର: ଅରୂପ ପଟ୍ଟନାୟକଙ୍କ ଜନ୍ମଭୂମି ଓଡିଶା କର୍ମଭୂମି ମହାରାଷ୍ଟ୍ର । ମୁମ୍ବାଇର ପୋଲିସ କମିଶନ ଭାବେ ଦେଶରେ ଚର୍ଚ୍ଚିତ ଥିଲେ ଏହି ଆଇପିଏସ ଅଫିସର । ଅବସର ପରେ ଓଡିଶା ଆସି ରାଜନୀତିରେ ପାଦ ଥାପିଛନ୍ତି ଅରୂପ । ନିର୍ବାଚନ ରଣାଙ୍ଗନାରେ ଅବର୍ତିନ ହୋଇଛନ୍ତି ବିଜେଡି ପ୍ରାର୍ଥୀ ରୂପେ । ଅପରାଜିତା ଷଡଙ୍ଗୀ ଜନ୍ମସ୍ଥାନ ବିହାର କର୍ମଭୂମି ଓଡିଶା । ବିଏମ୍ସି କମିଶନ ଭାବେ ଚର୍ଚ୍ଚାରେ ଥିଲେ ଏହି ଆଇଏଏସ ଅଫିସର । ଚାକିରି ୧୦ ବର୍ଷ ବାକି ଥିଲା । ସ୍ୱେଚ୍ଛାକୃତ ଭାବେ ଅବସର ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଏହି ଦୁଇ ଅଫିସରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ବେଶ୍ ଚର୍ଚ୍ଚାକୁ ନେଇ ଆସିଛି । ଏଠାରେ ଭୋଟରମାନେ ଏକ ନିଆରା ଲଢ଼େଇ ଦେଖିବେ କିନ୍ତୁ ଜଣଙ୍କୁ ବାଛିବେ । ଆଉ ଉଭୟଙ୍କ କଡା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ ସମର୍ଥକ ସିପିଆଇ(ଏମ୍) ଜନାର୍ଦ୍ଦନ ପତି । ଏକଦା ବାମପନ୍ଥୀଙ୍କ ଦବଦବା ଥିବା ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ପୁଣି ବାମ ଦୁର୍ଗକୁ ଗଢ଼ିବା ପାଇଁ ଆଗେଇ ଆସିଛନ୍ତି ଜନାର୍ଦ୍ଦନ । ବିଜେଡି ଗଠନ ହେଲା ଦିନ ଠାରୁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି । ୧୯୯୮ରୁ ୨୦୧୪ ମଧ୍ୟରେ ହୋଇଥିବା ୫ଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟସାଣୀ ବିଜୟ ଲାଭ କରିଛନ୍ତି । ୧୯୯୮ ପୂର୍ବରୁ ହୋଇଥିବା ୧୧ଟି ସାଧାରଣ ନିର୍ବାଚନରେ କଂଗ୍ରେସ ୮ଥର ଓ ସିପିଆଇ ୩ଥର ଏହି ନିର୍ବାଚନୀ ମଣ୍ଡଳୀକୁ ଦଖଲ କରିଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ପାଖାପାଖି ପ୍ରାୟ ୨ ଲକ୍ଷ୍ୟ ଭୋଟରେ ବିଜୟୀ ହୋଇଥିଲେ । ସେହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ପୃଥିରାଜ ହରିଚନ୍ଦନ ଓ କଂଗ୍ରେସ ପ୍ରାର୍ଥୀ ଅଭିନେତା ବିଜୟ ମହାନ୍ତି । ଲଗାତାର ୫ଥର ଜିତିଥିଲେ ବି ପାଟ୍ଟଶାଣୀଙ୍କର ବିଧାୟକ ମାନଙ୍କ ସହିତ ସେତେଟା ଭଲ ସଂପର୍କ ନଥିଲା । ଦଳୀୟ ସାଂସଦ ଭାବେ ବିଧାୟକ ମାନେ ତାଙ୍କୁ ବିଭିନ୍ନ କାର୍ଯ୍ୟରେ ସାମିଲ କରୁଥିଲେ ମଧ୍ୟ ଏହା ଉପର ଠାଉରିଆ ଥିଲା । ତେଣୁ ଏଠାରେ ପ୍ରାର୍ଥୀ ବଦଳିବେ ବୋଲି ବହୁ ଦିନରୁ ଆଲୋଚନା ହେଉଥିଲା । ତେବେ ପାଟ୍ଟଶାଣୀଙ୍କୁ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ରୂପେ ଆଡେଇ ଦେଇ ନାହାନ୍ତି । ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି କହିଛନ୍ତି । ବିଜେଡିର ଦୁର୍ଗ କୁହାଯାଉଥିବା ଲୋକସଭା ଆସନକୁ ଦଳ ପୁଣି ଦଖଲକୁ ନେବ ବୋଲି ଆଶାବାଦୀ ଅଛି । ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ରାଜନୀତିରେ ନୂଆ ହୋଇଥିଲେ ତାଙ୍କୁ ସହଯୋଗ କରିବା ପାଇଁ ସବୁ ବିଧାୟକ, ପୂର୍ବତନ କର୍ପୋରେଟର ଓ ପଂଚାୟତ ନେତା ମାନଙ୍କୁ କୁହାଯାଇଛି । ସାତଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସଂଗଠଦ ମଜଭୁତ ଥିବାରୁ ଶ୍ରୀ ପଟ୍ଟନାୟକଙ୍କ କିଛି ଅସୁଥିବା ହେବନି ବୋଲି ଦୃଢ଼ ବିଶ୍ୱାସ ଦେଇଛନ୍ତି ଦଳୀୟ ନେତା । ବିଗତ ନିର୍ବାଚନ ଗୁଡିକରେ ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀମାନେ ବିଶେଷ ଚର୍ଚ୍ଚାକୁ ଆସିନଥିଲେ । କିନ୍ତୁ ଏଥର ଅପରାଜିତା ଷଡଙ୍ଗୀଙ୍କ ପ୍ରାର୍ଥୀତ୍ୱ ହିଁ ବିଜେପିର ସବୁଠାରୁ ବଡ ପୁଞ୍ଜି । ଅପରାଜିତା ତାଙ୍କ ଚାକିରି ସମୟରେ ବିଭିନ୍ନ ଜାଗାରେ କାମ କରିଥିଲେ ବି ବିଏମ୍ସି କମିସନର ଭାବେ ତାଙ୍କର ତିନି ବର୍ଷ କାର୍ଯ୍ୟକାଳ ତାଙ୍କୁ ଭୁବନେଶ୍ୱର ଆଖପାଖ ଅଂଚଳରେ ବେଶ୍ ପରିଚୟ ଆଣିଦେଇଥିଲା । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ତେବେ ଭୁବନେଶ୍ୱର ଲୋକସଭା ଆସନ ଅଧିନରେ ଗୋଟିଏ ଦୁଇଟା ବିଧାନସଭା ନିର୍ବାଚନମଣ୍ଡଳୀକୁ ବାଦ ଦେଲେ ଅନ୍ୟଆଡେ ବିଜେପିର ସାଂଗଠନିକ ସ୍ଥିତି ସେତେଟା ମଜଭୁତ ନୁହେଁ । ଏହା ଅପରାଜିତାଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥିବାରୁ ଦୀର୍ଘ ଦିନ ହେବ ନିଜେ ଅପରାଜିତା ବ୍ୟକ୍ତଗତ ଭାବେ ବିଭିନ୍ନ ଅଂଚଳ ବୁଲି ଲୋକ ସମ୍ପର୍କ ପ୍ରତିଷ୍ଠା କରି ଆସୁଛନ୍ତି । କଂଗ୍ରେସ ଏଥର ଭୁବନେଶ୍ୱର ପ୍ରାର୍ଥୀ ଦେଉନାହିଁ । ବୁଝାମଣା ଭିର୍ତିରେ ସିପିଆଇ(ଏମ୍)କୁ ଏହି ଆସନ ଛାଡି ଦେଇଛି । ପୂର୍ବରୁ ୧୯୭୭, ୧୯୮୯,ଓ ୧୯୯୧ରେ ସିପିଆଇ(ଏମ୍) ପ୍ରାର୍ଥୀ ଶିବାଜୀ ପଟ୍ଟନାୟକ ଭୁବନେଶ୍ୱରରୁ ନିର୍ବାଚିତ ହୋଇଥିଲେ । କିନ୍ତୁ ତାହା ପରେ ସିପିଆଇ(ଏମ୍) ସ୍ଥିତି ସେତେଟା ଆଖି ଦୃଶିଆ ହୋଇ ରହିନାହିଁ । ତେବେ ଶ୍ରୀ ପତିଙ୍କୁ କଂଗ୍ରେସ ସମର୍ଥନ ଦେଉଥିବାରୁ ସେ ବିଜେଡି ଓ ବିଜେପିକୁ କଡା ମୁକାବିଲା କରିବ ବୋଲି ଆକଳନ କରାଯାଉଛି ।