ବିହାର ବିଜେପି ନେତାଙ୍କୁ "Y" ସୁରକ୍ଷା
ବିହାର ବିଜେପି ନେତାଙ୍କୁ "Y" ସୁରକ୍ଷା

ପାଟନା: ‘ଅଗ୍ନିପଥ’ ଯୋଜନାକୁ ଯଦି କେଉଁଠି ଅଧିକ ବିରୋଧ ହେଉଛି, ତାହା ହେଉଛି ବିହାର। ବିହାରରେ ଏହା ଅଧିକ ଉଗ୍ର ଏବଂ ହିଂସାତ୍ମକ ହେଉଛି। ଏପରିକି ରାଜ୍ୟରେ ବିଜେପି ନେତା ଏବଂ ମନ୍ତ୍ରୀ ଙ୍କୁ ଟାର୍ଗେଟ କରା ଯାଉଛି। ଆନ୍ଦୋଳନ ଓ ହିଂସା ନିୟନ୍ତ୍ରଣ ପାଇଁ ବିହାର ସରକାର କୌଣସି କଡ଼ା ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେଣୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। କେନ୍ଦ୍ର ସରକାର ବିହାରରେ ବିଜେପି ନେତାଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ଘୋଷଣା କରିଛନ୍ତି। ବିହାରରେ ବିଜେପିର ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨ ସାଂସଦ ଏବଂ ୮ ଜଣ ବିଜେପି ବିଧାୟକଙ୍କୁ କେନ୍ଦ୍ର ସରକାର ‘ୱାଇ’ ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବିଜେପି ନେତାଙ୍କୁ ଅତିରିକ୍ତ ସୁରକ୍ଷା ଦେବା ସଂକ୍ରାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ଥିତିର ଯେଭଳି ମୁକାବିଲା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିହାରରେ ଗତ ୩ ଦିନ ଧରି ଅଗ୍ନିପଥକୁ ବିରୋଧ କରି ଆନ୍ଦୋଳନ ଓ ହିଂସା ଜୋରଦାର ହୋଇଛି। ୩ ଦିନରେ ୬୨୦ ଜଣ ଗିରଫ ହୋଇଛନ୍ତି ଏବଂ ୧୩୦ଟି ଏତଲା ରୁଜୁ ହୋଇଛି। ଆଜି ବିହାରରେ ୧୪୦ ଜଣ ଗିରଫ ହୋଇଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ, ରାଜ୍ୟ ବିଜେପି ସଭାପତି ଏବଂ ପଶ୍ଚିମ ଚମ୍ପାରନ ସାଂସଦ ସଂଜୟ ଜୟସ୍ବାଲ, ବିସଫି ବିଧାୟକ ହରିଭୂଷଣ ଠାକୁର, ଦରଭଙ୍ଗା ବିଧାୟକ ସଂଜୟ ସରୋଗିଙ୍କ ସମେତ ମୋଟ୍ ୧୦ ବିଜେପି ନେତାଙ୍କୁ ‘ୱାଇ’ ଶ୍ରେଣୀ ସୁରକ୍ଷା ମିଳିଛି।