ବିବନର ହେବ ଟିଆଇ ପରେଡ଼
ବିବନର ହେବ ଟିଆଇ ପରେଡ଼
admin
Mar 2, 2021 - 11:23
Updated: Mar 2, 2021 - 11:23
ଭୁବନେଶ୍ୱର : ନବେ ଦଶକର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ୨୨ ବର୍ଷ ପରେ ପୁଲିସ ହାତରେ ଧରାପଡିଛି । ଏବେ ସିବିଆଇ ତାକୁ ରିମାଣ୍ଡରେ ଆଣିବା ସହ ଟିଆଇ ପରେଡ଼ କରିବାକୁ ଯୋଜନା କରିଛି । ଟିଆଇ ପରେଡ ପାଇଁ ସିବିଆଇର ଆବେଦନ ପରେ ଅଞ୍ଜନା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବି । କାହା ପ୍ରରୋଚନାରେ ଗଣଦୁଷ୍କର୍ମ ହୋଇଥିଲା ପଦାକୁ ଆସୁ । ବିବନକୁ କିଏ ଫେରାର କଲା ସାମ୍ନାକୁ ଆସୁ । ୨୨ ବର୍ଷ ହେଲା କାହା ଛତ୍ରଛାୟାରେ ବିବନ ଥିଲା ତାହା ତଦନ୍ତ ହେଉ । ଘଟଣା ପଛରେ ଷଡଯନ୍ତ୍ରକାରୀଙ୍କୁ ସାମ୍ନାକୁ ଆଣୁ ସିବିଆଇ ବୋଲି ଅଞ୍ଜନା କହିଛନ୍ତି ।
ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ବିବନକୁ ଧରିପାରିନଥିଲା । ତେବେ ଭୁବନେଶ୍ୱର କମିଶନରେଟ ପୁଲିସ ବିବନକୁ ଧରିବା ପାଇଁ ଜାଲ ବିଛାଇଥିଲା । ଶେଷରେ ବିବନକୁ ବାନ୍ଧି ଓଡ଼ିଶା ଆଣିପାରିଛି ପୁଲିସ । ବିବନ ଜେଲରେ ଥିବାବେଳେ ସିବିଆଇ ମଧ୍ୟ ଚଳଚଂଚଳ ହୋଇଯାଇଛି ।
ସୂଚନାଯୋଗ୍ୟ, ୧୯୯୯ ଜାନୁଆରୀ ୯ରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା । ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି । ଏହାକୁ ନେଇ ରାଜ୍ୟ ବ୍ୟାପୀ ଜନଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଏପ୍ରିଲ ୨୯, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ଦୁଇ ଦୋଷୀ ପ୍ରଦୀପ ଏବଂ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥଇଲେ । ହେଲେ ବିବନ ଘଟଣା ପରଠୁ ଫେରାର ହୋଇଯାଇଥିଲା। ଗଣଦୁଷ୍କର୍ମ ପରେ ଫେରାର ବିବନ ପୁନେରେ ନାମ ବଦଳାଇ ଜଳନ୍ଧର ସ୍ୱାଇଁ ନାମରେ ରହୁଥିଲା। ଏହାପରେ ତାକୁ ଧରିବାକୁ ୩ ମାସ ତଳେ ସିପିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ‘ ସାଇଲେଣ୍ଟ ଭାଇପର’ ଅଭିଯାନ। ବିବନ ବିଶ୍ୱାଳ ନିଜ ନାମ ବଦଳାଇ ପୁନେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାମରେ ରହି ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ପରିଚୟ ପତ୍ର, ଆଧାର କାର୍ଡ, ପାସ୍ବୁକ୍ ଜଳନ୍ଧର ନାଁରେ ହିଁ କରିଥିଲା । ହେଲେ ପୁନେ ପୁଲିସ୍ ସହ ଯୋଗାଯୋଗ କରି କମିଶନରେଟ ପୁଲିସ୍ ତାକୁ ସେଠାରୁ କାବୁ କରି ଓଡ଼ିଶା ଆଣିବାରେ ସଫଳ ହୋଇଥିଲା।