ବିଟ୍ ହାଉସ୍ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଲେ ଲୋକେ
ବିଟ୍ ହାଉସ୍ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଲେ ଲୋକେ
ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବାରେ ବନ ବିଭାଗ ହେପାଜତ ରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତକ୍ତ ଲୋକେ ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଆଠଗଡ଼ ଆରକ୍ଷୀ ଅଧୀକ୍ଷକ ବିଜୟ ବିଶି ଓ ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ଅନ୍ୟପକ୍ଷରେ ବଡ଼ବାରସିଂ ଛକରେ ମୃତ ଧନେଶ୍ୱର ବେହେରାଙ୍କ ପରିବାର ଲୋକ ଓ ସାତଗୋଛିଆ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଧନେଶ୍ୱରଙ୍କୁ ଦୁଇ ଏସିଏଫ୍ ଓ ରେଞ୍ଜର ପିଟି ପିଟି ମାରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି।ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଆଠଗଡ଼ ପୁଲିସ୍ ଆଠଗଡ଼ ବନଖଣ୍ଡର ଦୁଇ ଏସିଏଫ୍- ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ରେଞ୍ଜର ସୁବ୍ରତ ବେହେରା ଏବଂ ଅନ୍ୟ ୭ ବନ କର୍ମଚାରୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି ସେମାନଙ୍କୁ ଆଠଗଡ଼ ଥାନାରେ ପଚରାଉଚରା କରୁଛନ୍ତି।
ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ବନ ବିଭାଗ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ବନ ବିଭାଗ କଷ୍ଟଡିରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣା ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ଏହି ଘଟଣାର ତଦନ୍ତ ପାଇଁ କଞ୍ଜରଭେଟର ସ୍ତରୀୟ ଜଣେ ଅଫିସରଙ୍କୁ ଆଠଗଡ଼ ପଠାଯାଇଛି । ସଂପୂର୍ଣ୍ଣ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରାଯିବ ।




admin 