ବାରମ୍ବାର ମୁହଁ ଧୋଉଥିଲେ ସାବଧାନ !

ବାରମ୍ବାର ମୁହଁ ଧୋଉଥିଲେ ସାବଧାନ !

ବାରମ୍ବାର ମୁହଁ ଧୋଉଥିଲେ ସାବଧାନ !
କେତେଜଣ ନିଜ ସୌନ୍ଦର୍ଯ୍ୟ ପ୍ରତି ଏତେ ସଚେତନ ଅଛନ୍ତି ଯେ ବାରମ୍ବାର କେବଳ ମୁହଁ ଧୋଇବାରେ ଲାଗିଥାନ୍ତି । ଦିନକୁ ୨ ଥର ରୁ ଅଧିକ ମୁହଁ ଧୋଇବା ତ୍ୱଚା ପ୍ରତି କ୍ଷତିକାରକ ହୋଇପାରେ । ସାଧାରଣରେ ଏକ ଧାରଣା ରହିଥାଏ ଯେ ମୁହଁକୁ ପାଣି ଛାଟି ବାରମ୍ବାର ଧୋଇଲେ ମୁହଁରେ ଲାଗିଥିବା ଧୂଳିମଳି ସଫା ହୋଇ ତ୍ୱଚା ଉଜ୍ଜ୍ୱଳ ଦିଶେ । ତେବେ ଏହା ଦ୍ୱାରା ତ୍ୱଚାର ପିଏଚ୍ ଭାଲୁ୍ୟ ନଷ୍ଟ ହୋଇଥାଏ । ୦ ରୁ ୧୪ ପର୍ଯ୍ୟନ୍ତ ପିଏଚ୍ ଭାଲୁ୍ୟ ରହିଥିବା ବେଳେ ଏହା ଆଧାରରେ କୌଣସି ବସ୍ତୁ ଏସିଡିକ (ଅମ୍ଲୀୟ) କିମ୍ବା ବେସିକ୍ (କ୍ଷାରୀୟ) ବୋଲି ଜଣାଯାଇଥାଏ । ତ୍ୱଚାରେ ପିଏଚ୍ ଏହି ଅନୁସାରେ ୪.୨ ରୁ ୫.୫ ମଧ୍ୟରେ ରହେ । ଦିନକୁ ଅତି ବେଶୀରେ ୨ ଥର ମୁହଁ ଧୋଇଲେ ଏହା ତ୍ୱଚାର ପ୍ରାକୃତିକ ପିଏଚ୍ ସ୍ତରକୁ ପ୍ରଭାବିତ କରେ ନାହିଁ । ଏହାଠାରୁ ଅଧିକ ବାର ମୁହଁ ଧୋଇଲେ ତ୍ୱଚା ଖୁବ୍ ଶୀଘ୍ର ବୟସ୍କ ଦେଖାଯାଏ । ତ୍ୱଚାର ଉପରିଭାଗରେ ପ୍ରାକୃତିକ ତୈଳର ଏକ ପରସ୍ତ ଥାଏ ଯାହାକୁ ସେବମ ବୋଲି କହନ୍ତି । ଏହା ତ୍ୱଚାର ଆର୍ଦ୍ରତା ସୁରକ୍ଷିତ ରଖେ । ତେବେ ବାରମ୍ବାର ମୁହଁ ଧୋଇବା ଦ୍ୱାରା ସେବମ ସ୍ତର କ୍ଷତିଗ୍ରସ୍ତ ହୋଇ ତ୍ୱଚା ରୁକ୍ଷ ହୋଇଚାଲେ ଏବଂ ବ୍ରଣ ଓ ତ୍ୱଚା ସଂକ୍ରମଣର ଆଶଙ୍କା ବଢ଼ିଯାଏ । ମୁହଁ ଧୋଇବା ପାଇଁ ପ୍ରତ୍ୟେକ ଥର ରସାୟନଯୁକ୍ତ ଫେସୱାଶ ବ୍ୟବହାର କରୁଥିଲେ ମୁହଁ ଜଳାପୋଡ଼ା କରିବା ତଥା କୁଣ୍ଡେଇ ହେବା ପରି ସମସ୍ୟା ହୋଇପାରେ । ବାରମ୍ବାର ମୁହଁ ଧୋଇଲେ ସେବମର ସୁରକ୍ଷା ସ୍ତର ନଷ୍ଟ ହୋଇଯିବାରୁ ବ୍ୟାକ୍ଟେରିଆ, ରସାୟନ ତଥା ପ୍ରଦୂଷଣ କଣିକା ସିଧାସଳଖ ତ୍ୱଚାକୁ ଆକ୍ରମଣ କରିଥାନ୍ତି । ଏହା ଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ପାଇଁ ଉପଯୋଗୀ ମାଇକ୍ରୋଫ୍ଲୋରା ବା ମାଇକ୍ରୋବାୟୋମ ହ୍ରାସ ପାଇଁ ତ୍ୱଚାର ପ୍ରାକୃତିକ ରଙ୍ଗ ନଷ୍ଟ ହୁଏ । ତ୍ୱଚା ବୟସ୍କ ଦେଖାଯିବା ସହ ଏଥିରେ କୁଞ୍ଚନ ଏବଂ କଳାଦାଗ ମଧ୍ୟ ସୃଷ୍ଟି ହୋଇଥାଏ ।