ବହିଷ୍କାର ହେବେ କି ପ୍ରଶାନ୍ତ ଜଗଦ୍ଦେବ...
ବହିଷ୍କାର ହେବେ କି ପ୍ରଶାନ୍ତ ଜଗଦ୍ଦେବ...
ଭୁବନେଶ୍ୱର : ଗୁଣ୍ଡାଗର୍ଦ୍ଦି ଯୋଗୁଁ ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ବହିଷ୍କାର କରିପାରେ ବୋଲି ଶୁଣିବାକୁ ମିଳୁଛି । ଦଳର ବାରମ୍ବାର ଚେତାବନୀ ସତ୍ୱେ ପ୍ରଶାନ୍ତ ଆଭିମୁଖ୍ୟ ବଦଳୁନଥିବାରୁ ଦଳ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ବିଧାୟକଙ୍କ ଗାଡ଼ି ଧକ୍କାରେ ଅନେକ ଆହତ ହୋଇଥିବାବେଳେ ଜଣେ ମୃତ୍ୟୁ ବରଣ କରିଥିବା ନେଇ ଖବର ଆସିଛି । ଏହାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତର ସହ ଗ୍ରହଣ କରିଛନ୍ତି । ଏହି ଘଟଣା ଜାତୀୟ ଗଣମାଧ୍ୟମରେ ବି ମୁଖ୍ୟ ଖବର ପାଲଟିବାର ଆଶଙ୍କା ରହିଥିବାରୁ ଏହା ପୂର୍ବରୁ ବିଜେଡ଼ି ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ସହ ସମସ୍ତ ସମ୍ପର୍କ ତୁଟାଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ଅପରପକ୍ଷରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେଉଥିଲା । ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ବ୍ଳକ ଅଫିସ ଆଗରେ ବହୁ ଲୋକ ଗଦା ହୋଇଥିଲେ । ବିଧାୟକ ଶ୍ରୀ ଜଗଦ୍ଦେବ ଗାଡ଼ି ଧରି ବ୍ଲକ ଅଫିସ ଭିତରକୁ ପଳାଇଥିଲେ । ତାଙ୍କ ଗାଡ଼ି ଧକ୍କାରେ ବିଜେପି କର୍ମୀ ଓ ପୁଲିସ ଆହତ ହୋଇଥିଲେ । ଫଳରେ ଉତ୍ୟକ୍ତ ଲୋକମାନେ ତାଙ୍କୁ ଗାଡ଼ି ଭିତରୁ ବାହାର କରି ନିସ୍ତୁକ ଛେଚିଥିଲେ । ଏମିତିକି ସେଠାରେ ତୁମୁଳ କାଣ୍ଡ ସୃଷ୍ଟି ହୋଇଥିଲା । ତେବେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଁଚି ତୁରନ୍ତ ବିଧାୟକଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ଫଳରେ ଲୋକଙ୍କ ଆକ୍ରୋଶରୁ ଲହୁଲୁହାଣ ହୋଇଥିବା ବିଧାୟକ ଶ୍ରୀ ଜଗଦ୍ଦେବ ବର୍ତି ଯାଇଛନ୍ତି । ତେବେ ତାଙ୍କ ଗାଡ଼ି ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ଖବର ଆସିଛି । ଫଳରେ ସେ ଗିରଫ ହେବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟଯେ, ପୂର୍ବରୁ ଜଣେ ବିଜେପି କର୍ମୀଙ୍କୁ ହତ୍ୟା ଧମକ ଅଭିଯୋଗରେ ଜେଲ ଯାଇଥିଲେ । ଏବେ ପୁଣି ସେଭଳି କାଣ୍ଡ ଭିଆଇଥିବାରୁ ଆଉ ଥରେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତିକି ଦଳରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯିବାର ଆଶଙ୍କା ରହିଛି ।