ପ୍ରଥମ ଦୁଇ ଦିନ ସେବାୟତ ପରିବାରକୁ ଦର୍ଶନ ଅନୁମତି

ପ୍ରଥମ ଦୁଇ ଦିନ ସେବାୟତ ପରିବାରକୁ ଦର୍ଶନ ଅନୁମତି

ପ୍ରଥମ ଦୁଇ ଦିନ ସେବାୟତ ପରିବାରକୁ ଦର୍ଶନ ଅନୁମତି
ଭୁବନେଶ୍ୱର : କୋଟି କୋଟି ଓଡ଼ିଆଙ୍କ ପାଇଁ ଖୁସି ଖବର । ଆସନ୍ତା ୨୩ ତାରିଖ ଦିନ ଶ୍ରୀମନ୍ଦିର ଖୋଲିବ, କୋଟି କୋଟି ଭକ୍ତମାନେ ମହାପ୍ରଭୂ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଦର୍ଶନ କରିପାରିବେ । ମନ୍ଦିର ଖୋଲିବା ନେଇ ଶୁକ୍ରବାର ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ମନ୍ଦିର ଖୋଲିବା ମାତ୍ରେ ସମସ୍ତଙ୍କୁ ଦର୍ଶନର ସୁଯୋଗ ମିଳିବ ନାହିଁ । ପ୍ରଥମେ ପୁରୀବାସୀଙ୍କୁ ଦର୍ଶନର ସୁଯୋଗ ଦିଆଯିବ ବୋଲି କୁହାଯାଇଥିଲେ ହେଁ ସେଥିରେ କିଛିଟା ପରିବର୍ତ୍ତନ କରାଯାଇଛି । ପ୍ରଥମେ ଦୁଇ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ସକାଳୁ ସନ୍ଧ୍ୟା ଯାଏଁ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ ବୋଲି ଜଣାଯାଇଛି । ୱାର୍ଡୱାରୀ ଦର୍ଶନ ପାଇଁ ସମୟ ଆବଣ୍ଟନ କରାଯିବ । କୋଭିଡ ଗାଇଡଲାଇନରେ ଦର୍ଶନ ପାଇଁ ସୁଯୋଗ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇ ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଯେଉଁ ଶ୍ରୀମନ୍ଦିର ଦିନେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଯାଉଥିଲା ଆଜି କରୋନା ପାଇଁ ଖାଁ ଖାଁ ହୋଇଯାଇଛି । କିନ୍ତୁ ଏବେ କରୋନା ସଂକ୍ରମଣର ସ୍ଥିତି ବଦଳି ଯାଇଛି । ଫଳରେ ଶ୍ରୀମନ୍ଦିର ଖୋଲିବା ପାଇଁ ବାଟ ପ୍ରଶସ୍ତ ହୋଇଯାଇଛି । ଏନେଇ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ମନ୍ଦିର ଖୋଲିବା ଦାୟିତ୍ୱ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଥିବାବେଳେ ରାଜ୍ୟ ସରକାର ଏନେଇ ଜିଲ୍ଲା ପ୍ରଶାସନଙ୍କୁ ଦାୟିତ୍ୱ ଦେଇଥିଲେ । ତେବେ ଶ୍ରୀମନ୍ଦିର ଖୋଲିବା ପାଇଁ ଦୀର୍ଘଦିନ ଧରି ଭକ୍ତ, ସେବାୟତ ଓ ରାଜନେତାମାନେ ଦାବି କରି ଆସୁଥିଲେ ।