ନୂଆ ସିଇଓ ସନ୍ଧାନରେ ନୂଆ ଟ୍ବିଟର୍ ମାଲିକ
ନୂଆ ସିଇଓ ସନ୍ଧାନରେ ନୂଆ ଟ୍ବିଟର୍ ମାଲିକ
ନ୍ୟୁୟର୍କ: ଟ୍ୱିଟରର ନୂଆ ମାଲିକ ହେବା ପରେ ଏଲନ ମସ୍କ ଏହାର ସିଇଓ ପରାଗ ଅଗ୍ରୱାଲଙ୍କୁ ବଦଳାଇବା କଥା ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ଏପରିକି କିଛି କର୍ମଚାରୀଙ୍କ ଚାକିରି ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଟ୍ୱିଟର ପରିଚାଳନା ଉପରେ ଭରସା ନ ଥିବା ବେଳେ ସେ ସିଇଓ ପଦରେ ନୂଆ ମୁହଁ ଦେଖିବାକୁ ଚାହାନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ରଏଟର୍ସ ସୂତ୍ରରୁ ଜଣାପଡ଼ିଛି। ତେଣୁ ପରାଗଙ୍କୁ ମସ୍କ ବାହାର ରାସ୍ତା ଦେଖାଇବା ଥୟ ବୋଲି ବିବେଚନା କରାଯାଉଛି। ୪୪ ବିଲିୟନ ଡଲାର ଅର୍ଥ ଦେଇ ମସ୍କ ଟ୍ୱିଟର କିଣିଥିବା ବେଳେ ଏହି ପ୍ରକ୍ରିୟା ଶେଷ ହେବା ପରେ ପରାଗଙ୍କୁ ଟ୍ୱିଟରରୁ ବିଦା ହେବାକୁ ପଡ଼ିପାରେ ବୋଲି ବିଶାରଦମାନେ ଆଲୋଚନା କଲେଣି।
ବାସ୍ତବରେ, କମ୍ପାନୀର ପରିଚାଳନା ଉପରେ ବିଶ୍ୱାସ କରିପାରୁ ନ ଥିବା ନେଇ ମସ୍କ ଗତ ମାସ ଟ୍ୱିଟର ଚେୟାରମ୍ୟାନ୍ ବ୍ରେଟ୍ ଟେଲରଙ୍କୁ କହିଥିଲେ। ତେଣୁ ସେ କମ୍ପାନୀର ସିଇଓ ଓ କର୍ମଚାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଛଟେଇ, ଅଦଳବଦଳ କରିବେ ବୋଲି ବିଶ୍ୱାସ କରାଯାଉଛି। ଫଳରେ ନିଜ ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ଦିନ କାଟୁଛନ୍ତି ଏହି ମାଇକ୍ରୋ ବ୍ଲଗିଂ ସାଇଟ୍ର ଅସଂଖ୍ୟ କର୍ମଚାରୀ।
ଏଲୋନ୍ ମସ୍କ ଟ୍ୱିଟର କିଣିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଚିନ୍ତିତ କର୍ମଚାରୀଙ୍କୁ କହିଥିଲେ ଯେ ୪୪ ବିଲିୟନ ଡଲାରର ବଡ କାରବାର ପରେ ଏହି କମ୍ପାନୀ କେଉଁ ଦିଗକୁ ଯିବ ସେ ଜାଣି ନାହାନ୍ତି। ଏତେ ସବୁ ଘାତ ପ୍ରତିଘାତ ମଧ୍ୟରେ ବି ପରାଗ ସକରାତ୍ମକ ମନୋଭାବ ନେଇ ନିଜ କାମ ଜାରି ରଖିଛନ୍ତି । ଏଥିସହ ନିଜ କର୍ମଚାରୀମାନଙ୍କୁ ମଧ୍ୟ ସେ ପ୍ରେରଣ ଯୋଗାଉଛନ୍ତି।
ନ୍ୟୁୟର୍କ ଟାଇମ୍ସ ମୁତାବକ, ଟ୍ୱିଟରକୁ ନେଇ ମସ୍କଙ୍କ ଯୋଜନା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନି । ଏପରିକି କମ୍ପାନୀକୁ ଆଗକୁ ବଢ଼ାଇବାକୁ , କମ୍ପାନୀର ନେତୃତ୍ୱ ନେବାକୁ ସେ କାହାକୁ ଚୟନ କରିବେ ତାହା ଉପରୁ ବି ପରଦା ହଟିନି। ତେଣୁ ପ୍ରକ୍ରିୟା ଶେଷ ହେବା ପର୍ୟ୍ୟନ୍ତ ପରାଗ ରହିବା ଥୟ ବୋଲି ବିବେଚନା କରାଯାଉଛି।
ଗତ ନଭେମ୍ବରରୁ ପରାଗ ଟ୍ୱିଟରର ଦାୟିତ୍ବ ସମ୍ଭାଳିଥିବା ବେଳେ ୧୨ ମାସ ଭିତରେ ତାଙ୍କୁ ବିଦା କଲେ କମ୍ପାନୀକୁ ତାଙ୍କୁ ୪୨ ମିଲିୟନ ଡଲାର ଦେବାକୁ ପଡ଼ିବ । ତେଣୁ ମସ୍କ ଏତେ ବଡ଼ ଅର୍ଥରାଶି ଦେଇ ପରାଗଙ୍କୁ ବାହାର ରାସ୍ତା ଦେଖାଉଛନ୍ତି, ନା ଅନ୍ୟ କିଛି ନିଷ୍ପତ୍ତି ନେଉଛନ୍ତି ତାହା ଏହି ପ୍ରକ୍ରିୟା ଶେଷ ହେବା ପରେ ହିଁ ଜଣାପଡ଼ିବ ।




admin 