ଟିଏମସି କର୍ମୀମାନେ ସିବିଆଇ ଅଫିସରେ ମୁତୟନ ହୋଇଥିବା ସିଆରପିଏଫ ଉପରକୁ ବଡ଼ ବଡ଼ ପଥର ମାଡ଼
ଟିଏମସି କର୍ମୀମାନେ ସିବିଆଇ ଅଫିସରେ ମୁତୟନ ହୋଇଥିବା ସିଆରପିଏଫ ଉପରକୁ ବଡ଼ ବଡ଼ ପଥର ମାଡ଼
admin
May 17, 2021 - 10:40
Updated: May 17, 2021 - 10:40
କୋଲକାତା: ପଶ୍ଚିମବଙ୍ଗରେ ନିକଟରେ ଶେଷ ହୋଇଥିବା ନିର୍ବାଚନ ପରେ ସିବିଆଇ ସକ୍ରିୟ ହୋଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨ ମନ୍ତ୍ରୀଙ୍କୁ ଗିରଫ କରିବା ପରେ ଟିଏମସି କର୍ମୀମାନେ ଲଙ୍କାକାଣ୍ଡ ଭିଆଇଛନ୍ତି । ଗିରଫଦାରୀକୁ ବିରୋଧ କରି ଟିଏମସି କର୍ମୀମାନେ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିଛନ୍ତି । କଥା ଏତିକିରେ ଶେଷ ହୋଇନାହିଁ । ଟିଏମସି କର୍ମୀମାନେ ସିବିଆଇ ଅଫିସରେ ମୁତୟନ ହୋଇଥିବା ସିଆରପିଏଫ ଉପରକୁ ବଡ଼ ବଡ଼ ପଥର ମାଡ଼ କରିଛନ୍ତି । ତେବେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସିଆରପିଏଫ ପକ୍ଷରୁ ଲାଠିଚାର୍ଜ କରାଯାଇଥିବା ଜଣାଯାଇଛି ।
ନାରଦା ଲାଂଚ ମାମଲାରେ ମମତା ସରକାରର ଦୁଇ ମନ୍ତ୍ରୀ ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସେହିପରି ବିଧାୟକ ମଦନ ମିତ୍ର ଓ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ସିବିଆଇ ଗିରଫ କରିବା ପରେ ରାସତାକୁ ଓହ୍ଲାଇ ଆସିଛନ୍ତି ଟିଏମସି କର୍ମୀ ଓ ସମର୍ଥକ । ଏମାନେ ସିବିଆଇ ଅଫିସ ଆଗରେ କେନ୍ଦ୍ର ବିରୋଧୀ ନାରାବାଜି କରିବା ସହ ପୋଲିସ ଉପରକୁ ଟେକା, ପଥର ମାଡ କରିଛନ୍ତି । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ପାଲଟା ଲାଠି ଚାଳନା କରିଛି । କିଛିଦିନ ତଳେ ନାରଦା ମାମଲାରେ ତଦନ୍ତ କରିବା ଲାଗି ସିବିଆଇକୁ ଅନୁମତି ଦେଇଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ।
ସେପଟେ, ସିବିଆଇ କାର୍ୟ୍ୟାଳୟକୁ ଆଣି ମନ୍ତ୍ରୀ ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କ ସହ ଟିଏମସି ବିଧାୟକ ମଦନ ମିତ୍ରଙ୍କୁ ଆଣି ଗିରଫ କରିନେବା ପରେ ରାଗି ନିଆଁବାଣ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମାନଙ୍କ ଗିରଫଦାରି ପରେ ପ୍ରଥମ ସିବିଆଇ କାର୍ୟ୍ୟାଳୟରେ ପହଂଚି ଗିରଫଦାରିକୁ ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସିବିଆଇ ତାଙ୍କୁ ମଧ୍ୟ ଗିରଫ କରିବାକୁ ଆହ୍ୱାନ ଦେଇଛନ୍ତି ।
ମମତା ସିବିଆଇ ଅଫସିରେ ପହଂଚିବା ପରେ ବାହାରେ ଶହଶହ ଟିଏମସି କର୍ମୀଙ୍କ ଭିଡ ଲାଗି ଯାଇଥିଲା । କେନ୍ଦ୍ର ସରକାର ଓ ସିବିଆଇ ବିରୋଧରେ ନାରାବାଜି ଆରମ୍ଭ କରିଦେଇଥିଲେ ଟିଏମସି କର୍ମୀ ଓ ମମତାଙ୍କ ସମର୍ଥକ । ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଟେକା, ପଥର ମାଡ କରିବା ସହ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗିଥିଲେ । ଜବାବରେ କେନ୍ଦ୍ରୀୟ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଲାଠି ଚାଳନା କରିଛନ୍ତି ।