ଜୟପୁର ରାଜନୀତି ହୁଲୁସ୍ତୁଲ, ରବିନାରାୟଣ ନନ୍ଦଙ୍କୁ ଟାଣିଟାଣି ମଞ୍ଚରୁ ତଳକୁ ଓହ୍ଲାଇ ଦେଲେ ବବି

ଜୟପୁର ରାଜନୀତି ହୁଲୁସ୍ତୁଲ, ରବିନାରାୟଣ ନନ୍ଦଙ୍କୁ ଟାଣିଟାଣି ମଞ୍ଚରୁ ତଳକୁ ଓହ୍ଲାଇ ଦେଲେ ବବି

ଜୟପୁର ରାଜନୀତି ହୁଲୁସ୍ତୁଲ,  ରବିନାରାୟଣ ନନ୍ଦଙ୍କୁ  ଟାଣିଟାଣି ମଞ୍ଚରୁ ତଳକୁ ଓହ୍ଲାଇ ଦେଲେ ବବି

କୋରାପୁଟ:  ଜୟପୁର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ, ଦକ୍ଷିଣ ଓଡ଼ିଶାର ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନକୁ ବିଶ୍ବବିଦ୍ୟାଳୟକୁ ଘୋଷଣା ଜୟପୁର ସମେତ ସମଗ୍ର ଅବିଭକ୍ତ କୋରାପୁଟ ଜିଲାବାସୀଙ୍କୁ ଉତ୍ସାହିତ କରିଛି। ତେବେ ମୁଖ୍ୟମନ୍ତ୍ରୀ ଜୟପୁର ଛାଡ଼ିବା ପରେ ଜୟପୁର ରାଜନୀତି ହୁଲୁସ୍ତୁଲ ହୋଇଛି। ମଞ୍ଚ ଉପରୁ ଦୁଇ ଦୁଇଥର ମନ୍ତ୍ରୀ, ପୂର୍ବତନ ବିଧାୟକ ଜୟପୁର ବିଜେଡିର ବରିଷ୍ଠ ନେତା ରବିନାରାୟଣ ନନ୍ଦଙ୍କୁ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଭାଇ ହାତ ଧରି ଟାଣିଟାଣି ମଞ୍ଚରୁ ତଳକୁ ଓହ୍ଲାଇ ଦେଇଥିବା ଦେଖିବାକୁ ମିଳିଥିଲା।

 ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବାବେଳେ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମଞ୍ଚ ଉପରେ ଉପସ୍ଥିତ ଜୟପୁର ବିଧାୟକ କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଭାଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କ ଭୂୟସୀ ପ୍ରଶଂସା କରି ଗୁଣଗାନ କରିବା , ଏପରିକି ‘ନବୀନ ପଟ୍ଟନାୟକ ଜିନ୍ଦାବାନ୍ଦ’ ବୋଲି ବାରମ୍ବାର ସ୍ଲୋଗାନ ଦେଇଥିଲେ। କେବଳ ସେତିକି ନୁହେଁ ବିଭିନ୍ନ ପ୍ରସଙ୍ଗରେ ୫-ଟି ସଚିବଙ୍କ କାର୍ୟ୍ୟକଳାପକୁ ସମାଲୋଚନା କରି ଆସୁଥିବା ଶ୍ରୀ ବାହିନୀପତି ମଞ୍ଚରେ ତାଙ୍କର ଭୂରିଭୂରି ପ୍ରଶଂସା କରିବା, ପ୍ରଣବ ପ୍ରକାଶ ଦାସଙ୍କୁ କଥା ଛଳରେ ‘ଆମର ସାଙ୍ଗଠନିକ ସମ୍ପାଦକ’ ବୋଲି ସମ୍ବୋଧନ କରିବାକୁ ନେଇ ମଧ୍ୟ ଜୟପୁର ରାଜନୀତି ପଡ଼ୁଛି ଉଠୁଛି । ଶ୍ରୀ ବାହିନୀପତି ପ୍ରଶଂସାରେ ପୋତି ପକାଇଥିବାବେଳେ ମଞ୍ଚରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସ୍ମିତହାସ୍ୟ ବଦନ, ୫-ଟି ସଚିବଙ୍କ ତାଳି ମାରି ଶ୍ରୀ ବାହିନୀପତିଙ୍କ ଭାଷଣକୁ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା।

 ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ମଞ୍ଚ ଉପର ଏଭଳି ଦୃଶ୍ୟ ଜୟପୁର ରାଜନୀତିକୁ ଚର୍ଚ୍ଚିତ କରିଛି। ଏପରିକି କିଛି ସମୀକ୍ଷକ ରବିଙ୍କ ପ୍ରତି ଏଭଳି ଆଚରଣକୁ ନେଇ ଭିନ୍ନଭିନ୍ନ ମତ ଦେଇ ବିଜେଡିରେ ତାଙ୍କ ପତିଆରା କମୁଥିବା କହିବାକୁ ପଛାଇ ନ ଥିବାବେଳେ ତାରାଙ୍କ ବିଜେଡିରେ ଯୋଗଦେବା ସମ୍ଭାବନାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ରବି ଓ ତାରା। ବବିଙ୍କ ବିରୋଧରେ ରବି ପଦୁଟିଏ କହି ନ ଥିବାବେଳେ ଏହାକୁ ଅତି ହାଲୁକା ଭାବରେ ନେଇ ଆମ ଭିତରେ ଭାଇଭାଇର ସମ୍ପର୍କ ଥିବା କହି କୌଣସି ଚର୍ଚ୍ଚାକୁ ଏଡ଼ାଇ ଦେଇଛନ୍ତି। ସେପଟେ ତାରା ନିଜ ପ୍ରତିକ୍ରିୟାରେ ‘ମୋର ଦାବି ପୂରଣ ହୋଇଛି, ସ୍ବପ୍ନ ସାକାର ହୋଇଛି, ଆମେ କୋରାପୁଟିଆ ପିଲା, ଅତିଥିଙ୍କୁ ସ୍ବାଗତ କରିବା ଭଲ ଭାବେ ଜାଣୁ’ ବୋଲି ମନ୍ତବ୍ୟ ଦେଇ ପ୍ରସଙ୍ଗଟିକୁ ଭିନ୍ନ ଢଙ୍ଗରେ ଏଡ଼ାଇ ଦେଇଛନ୍ତି।