ଗେହଲଟଙ୍କ ଉପରେ ରାଗି ଗଲେ ରାହୁଲ ଗାନ୍ଧୀ

ଗେହଲଟଙ୍କ ଉପରେ ରାଗି ଗଲେ ରାହୁଲ ଗାନ୍ଧୀ

ଗେହଲଟଙ୍କ ଉପରେ ରାଗି ଗଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚାଟୁକାର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା । ଗୁଲାମ ନବୀ ଆଜାଦ, ପି.ଚିଦାମ୍ବରମ, ମୁକୁଲ ୱାସନିକ ଓ ଆନନ୍ଦ ଶର୍ମାଙ୍କ ଭଳି ୨୩ ଜଣ ନେତା ସଂଗଠନରେ ଅଦଳବଦଳ କରିବାକୁ ଦାବି କରି ସୋନିଆଙ୍କୁ ଚିଠି ଲେଖି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ । କିନ୍ତୁ ଏକେ ଆଂଟୋନୀ, ଅମ୍ବିକା ସୋନି, ଅଶୋକ ଗେହଲଟ ଓ ହରିଶ ରାୱତ କିନ୍ତୁ ପୂର୍ବଭଳି ଗାନ୍ଧୀ ପରିବାର ସପକ୍ଷରେ ମତ ପ୍ରକାଶ କରିଥିଲେ । ଯାହାର ପ୍ରତିଫଳନ ସିଡବ୍ଲୁ୍ୟସି ବୈଠକରେ ଦେଖିବାକୁ ମିଳିଥିଲା । ବୈଠକରେ ଗେହଲଟ କହିଥିଲେଯେ, ଯେଉଁ ଲୋକମାନେ କେବେ ନିର୍ବାଚନ ଲଢ଼ିନାହାନ୍ତି ସେମାନେ ଉପା ସରକାରରେ ସବୁଠାରୁ ଅଧିକ ଫାଇଦାରେ ରହିଥିଲେ । ଅନ୍ତରୀଣ ନିର୍ବାଚନ ପାଇଁ ଦାବି କରିବାର ସେମାନଙ୍କର ଅଧିକାର ନାହିଁ । ଦଳ ପାଖରେ ବହୁ ପ୍ରସଙ୍ଗ ରହିଛି । ସେ ଦିଗରେ କାର୍ଯ୍ୟ କରିବା ଦରକାର ବୋଲି ସେ କହିଥିଲେ । ସେହିପରି ଗାନ୍ଧୀ ପରିବାରର ଭରସା ରହିଛି ବୋଲି ଆଜି ଏହି ବୈଠକରେ ସେମାନେ ବସି ପାରିଛନ୍ତି । ତେବେ ଗେହଲଟଙ୍କ ଏଭଳି ମନ୍ତବ୍ୟ ଆନନ୍ଦ ଶର୍ମାଙ୍କୁ ବେଶ ବାଧିଥିଲା । ତେଣୁ ସେ କହିଥିଲେଯେ, ମୌଖିକ ଚାଟୁକାରିତା ପାଇଁ ଅପମାନଜନକ ଭାଷା ପ୍ରୟୋଗ କରିବା ଉଚିତ ନୁହେଁ । ଯେଉଁମାନେ ନିର୍ବାଚନ ପାଇଁ ଦାବି କରୁଛନ୍ତି ସେମାନେ ଇନ୍ଦିରା ଗାନ୍ଧୀଙ୍କ ଅମଳରୁ କଂଗ୍ରେସରେ ଅଛନ୍ତି । ତେବେ ବାକବିତଣ୍ଡା ହେବାରୁ ରାହୁଲ ଗାନ୍ଧୀ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ । ସେ କହିଥିଲେଯେ, ଗେହଲଟ ଏଭଳି କଡ଼ା ଟିପ୍ପଣୀ ଦେବା ଉଚିତ ନୁହେଁ । ସଂଗଠନର ନିର୍ବାଚନ ଶେଷ କରିବାକୁ ସେ ଆହ୍ୱାନ ଦେଇଥିଲେ । ପରେ ଆସନ୍ତା ଜୁନରେ ନିର୍ବାଚନ କରିବାକୁ ଧାର୍ଯ୍ୟ ହୋଇଥିଲା ।