କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜା ସ୍ୱାଇଁ
କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜା ସ୍ୱାଇଁ
admin
Jan 19, 2021 - 12:04
Updated: Jan 19, 2021 - 12:04
ଭୁବନେଶ୍ୱର : ଅରୁଆ ଓ ଉଷୁନା ଚାଉଳକୁ ନେଇ ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଥିବାବେଳେ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, କୋଭିଡ଼-୧୯ ପରବର୍ତୀ ସମୟରେ ଅର୍ଥନୈତିକ ପ୍ରଗତିରେ କୃଷି କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏଭଳି ଆର୍ଥିକ ଦୂରାବସ୍ଥା ସମୟରେ ଏହି କ୍ଷେତ୍ରକୁ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗର ଆବଶ୍ୟକତା ରହିଛି । ଓଡ଼ିଶାରେ ଧାନ ସଂଗ୍ରହଣ ଏକ ପ୍ରମୁଖ ପ୍ରକ୍ରିୟା । ଯାହାଦ୍ୱାରା ଲକ୍ଷ ଲକ୍ଷ ଚାଷୀମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରୁଛନ୍ତି । ଅନଲାଇନ ଜରିଆରେ ସରକାର ସେମାନଙ୍କୁ ଟଙ୍କା ଦେଉଛନ୍ତି । ସେହିପରି ଓଡ଼ିଶା ସରକାର ସ୍ୱଚ୍ଛ ଭାବେ ଧାନ ସଂଗ୍ରହ କରୁଥିବାବେଳେ ଅପହଁଚ ଇଲାକାରେ ଚାଷୀମାନେ ଯେଭଳି ସୁବିଧାରେ ଧାନ ବିକ୍ରୟ କରିପାରିବେ ତାହା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏବେ ଧାନ ସଂଗ୍ରହ ଜୋର ଧରିଥିବାବେଳେ ଗତ ବର୍ଷର ଏହି ସମୟ ତୁଳନାରେ ୨୨% ଅଧିକ ଧାନ ସଂଗ୍ରହ କରାଯାଇଛି । ଚାଷୀଙ୍କ ସଂଖ୍ୟା ଓ ଧାନ ସଂଗ୍ରହ ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଯାହାଦ୍ୱାରା ଅଧିକ ଚାଷୀ ଏମସପିର ସୁବିଧା ପାଇପାରିବେ । ଅନ୍ୟ କ୍ଷେତ୍ର ଅପେକ୍ଷା କୃଷି କ୍ଷେତ୍ର ହିଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଳେଖ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଦୁଇଟି ପ୍ରମୁଖ ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଓଏସସିଏସସି ଜରିଆରେ ରାଜ୍ୟରେ ଧାନ ସଂଗ୍ରହ କରାଯାଉଛି । ଏଥିପାଇଁ ନିଗମ ଏଯାବତ ପ୍ରାୟ ୧୫ ହଜାର କୋଟି ଟଙ୍କା ଋଣ ଆଣିଛି । ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ପକ୍ଷରୁ ସବସିଡ଼ ପ୍ରଦାନ କରାଯାଇନଥିବାରୁ ବ୍ୟାଙ୍କ ଋଣ ବୃଦ୍ଧି ପାଇଛି । ଇତିମଧ୍ୟରେ ନିଗମ ସବସିଡ଼ ବାବଦରେ ୬୦୩୯ କୋଟି ଟଙ୍କା ପାଇବା ପାଇଁ ଦାବି କରିଛି । ଯେହେତୁ ନିଗମ ଅଧିକ ଋଣ ଆଣିଛି ତେଣୁ ଆଉ ଋଣ ଆଣିପାରିବ ନାହିଁ । ଯାହାଦ୍ୱାରା ଧାନ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହେବ । ତେଣୁ ବକେୟା ସବସିଡ଼ ତୁରନ୍ତ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦାବି କରିଛନ୍ତି । ସେହିପରି ଅନ୍ୟ ସମସ୍ୟାଟି ହେଉଛି ଭାରତୀୟ ଖାଦ୍ୟ ନିଗମ ରାଜ୍ୟରେ ବଳକା ଥିବା ଉଷୁନା ଚାଉଳ ଉଠାଣ ନେଇ କଟକଣା ଲଗାଇଛନ୍ତି । ଗତବର୍ଷ ତୁଳନାରେ ପ୍ରାୟ ୫୦% କମ ଉଷୁନା ଚାଉଳ ନେବାକୁ ଏଫସିଆଇ ପକ୍ଷରୁ କୁହାଯାଇଛି । ସେହିପରି ୨୦୨୦-୨୧ରେ ମଧ୍ୟ ବଳକା ଚାଉଳ ଉଠାଣ କରିବାକୁ ମନା କରିଦେଇଛି ।
୨୦୦୩-୦୪ରୁ ରାଜ୍ୟ ସରକାର ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣୁଛନ୍ତି । ଯେଉଁଥିପାଇଁ କେନ୍ଦ୍ରୀୟ ପୁଲରେ ଓଡ଼ିଶା ଚତୁର୍ଥ ସର୍ବାଧିକ ଅଂଶୀଦାର ରାଜ୍ୟରେ ପରିଣତ ହୋଇଛି । ଓଡ଼ିଶାବାସୀ ସାଧାରଣତଃ ଉଷୁନା ଚାଉଳ ବ୍ୟବହାର କରିଥା’ନ୍ତି । କେବଳ ଛଅଟି ଜିଲ୍ଲାରେ ଅରୁଆ ଚାଉଳ ବ୍ୟବହାର କରାଯାଇଥାଏ । ରାଜ୍ୟରେ ଅଧିକାଂଶ ଚାଉଳ ମିଲଗୁଡ଼ିକ ଉଷୁନା ଚାଉଳ ହିଁ ଉପôାଦନ କରିଥା’ନ୍ତି । କିନ୍ତୁ ଉଷୁନା ଚାଉଳ ଉଠାଣକୁ ସୀମିତ କରିବା ଓ କେବଳ ଅରୁଆ ଚାଉଳ ଉଠାଣ ପାଇଁ ଏଫସିଆଇ କହିଥିବାରୁ ତାହାର ପ୍ରତିକୂଳ ପ୍ରଭାବ ରାଜ୍ୟ ଉପରେ ପଡ଼ିବ । ପିଡ଼ିଏସ ଓ ଅନ୍ୟ ଜନମଙ୍ଗଳକାରୀ ଯୋଜନାରେ ଓଡ଼ିଶା ପାଇଁ ବାର୍ଷିକ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳର ଆବଶ୍ୟକତାା ପଡୁଛି । ଅପରପକ୍ଷରେ ଏଫସିଆଇ ଦ୍ୱାରା ୩୦ ଲକ୍ଷ ମେଟ୍ରିକ ଟନ ବଳକା ଚାଉଳ ଉଠାଣ କରିବାର ମଧ୍ୟ ଆବଶ୍ୟକତା ଅଛି । ଏହି ପରିପ୍ରେକ୍ଷୀରେ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦାବି କରିଛନ୍ତି ।