କାଳିଆ ପାଇଁ ଖୁବଶୀଘ୍ର "ମୋ ସରକାର'
କାଳିଆ ପାଇଁ ଖୁବଶୀଘ୍ର "ମୋ ସରକାର'
admin
Dec 2, 2019 - 06:17
Updated: Dec 2, 2019 - 06:17
ମୁଖ୍ୟମନ୍ତ୍ରୀ ଯାହା ନିଦେ୍ର୍ଧଶ ଦେବେ କଡ଼ାକଡ଼ି ଲାଗୁ କରାଯିବ: କୃଷି ମନ୍ତ୍ରୀ, ଡିସେମ୍ବର ପହିଲାରୁ ୬ଟି ବିଭାଗକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା
ଭୁବନେଶ୍ୱର : କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଜନା କାଳିଆ ଖୁବଶୀଘ୍ର "ମୋ ସରକାର' କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ଏଣିକି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ସହ କଥାହୋଇ ସୁବିଧା ଓ ଅସୁବିଧା ବିଷୟରେ ପଚାରି ବୁଝିବେ । ଚାଷୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦୁଃଖ ଜଣାଇପାରିବେ । କୃଷି ବିଭାଗର ଏହି ଯୋଜନା ସମେତ ୬ଟି ବିଭାଗର ୭ଟି ବିଷୟ "ମୋ ସରକାର' କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । କିନ୍ତୁ ରବିବାର ଥିବାରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଛି ବି ସୂଚନା ମିଳିପାରିନି । "ମୋ ସରକାର' କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ବିଭାଗୀୟ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି କେତେକ ମନ୍ତ୍ରୀ । କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ଚାଷୀମାନଙ୍କ ଅସୁବିଧା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ସେ ଯେତେବେଳେ ଯାହା ନିଦେ୍ର୍ଧଶ ଦେବେ ତାକୁ କଡ଼ାକଡ଼ି ଅନୁପାଳନ କରାଯିବ ।
ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ପୁଲିସ ଓ ସ୍ୱାସ୍ଥ୍ୟସେବା ବିଭାଗରେ "ମୋ ସରକାର' କାର୍ଯ୍ୟକ୍ରମ ଲାଗୁ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଉ ୬ଟି ବିଭାଗର ୭ଟି ଯୋଜନା ଡିସେମ୍ବର ପହିଲାରୁ ଲାଗୁ କରିବା ନେଇ ଗତମାସ ୧୧ ତାରିଖରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସମ୍ପୃକ୍ତ ବିଭାଗମାନଙ୍କୁ ଚିଠି ଲେଖିଥିଲା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କାଳିଆ, ମହିଳା ଓ ଶିଶୁ ବିକାଶ ବିଭାଗରେ ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନା, ପରିବହନ ବିଭାଗର ବାହନ ଓ ସାରଥୀ, ଯୋଗାଣ ବିଭାଗର ଚାଷୀ ପଞ୍ଜୀକରଣ, ମିଶନ ଶକ୍ତି, ପଞ୍ଚାୟତି ରାଜ ବିଭାଗର ପାନୀୟ ଜଳ ବ୍ୟବସ୍ଥା ପାଇଁ "ମୋ ସରକାର' କାର୍ଯ୍ୟକ୍ରମ ଲାଗୁ କରାଯିବ ।