କରୋନା ମୁକାବିଲା ପାଇଁ ନବୀନଙ୍କୁ ପ୍ରଶଂସା
କରୋନା ମୁକାବିଲା ପାଇଁ ନବୀନଙ୍କୁ ପ୍ରଶଂସା
admin
Apr 10, 2020 - 11:20
Updated: Apr 10, 2020 - 11:20
କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଯାହା ବି ପଦକ୍ଷେପ ନେଇଛନ୍ତି ତାହାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏପରିକି ପ୍ରଥମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିବା ସହ ଏହାକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରିବାକୁ କହିଥିଲେ । ଏବେ ନବୀନଙ୍କର କାର୍ଯ୍ୟଶୈଳୀକୁ ସାରା ବିଶ୍ୱ ଅନୁକରଣ କରୁଛି ବୋଲି ତାମିଲ ମାଗାଜିନ ଭିକେଟାନ ଲେଖିଛି । ତାମିଲନାଡୁରେ ପ୍ରକାଶ ପାଉଥିବା ଏହି ମାଗାଜିନରେ କଭର ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଫୁଙ୍କୁଥିବା ଫଟୋ ପ୍ରକାଶ ପାଇଥିବା ବେଳେ ଏଥିରେ କ୍ୟାପସନ ଦିଆଯାଇଛି ଯେ, ସାରା ବିଶ୍ୱ ଏବେ ଓଡ଼ିଶା ମଡେଲ ଅନୁଧ୍ୟାନ କରୁଛି । ସାରା ବିଶ୍ୱ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ଓଡ଼ିଶାରେ ଯେପରି ଅଧିକ ଲୋକଙ୍କୁ କରୋନା ନ ବ୍ୟାପିବ, ଯେପରି ସମସ୍ତଙ୍କର ଚିକିତ୍ସା ହୋଇପାରିବ ସେ ନେଇ ଯେଉଁ ପଦକ୍ଷେପ ନିଆଯାଉଛି ତାହା ଅନୁକରଣୀୟ ।
କେବଳ ତାମିଲ ଗଣମାଧ୍ୟମ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନଙ୍କର କାର୍ଯ୍ୟଶୈଳୀକୁ ବହୁ ଜାତୀୟ ଗଣମାଧ୍ୟମ ବି ପ୍ରଶଂସା କରୁଛନ୍ତି । ଅପରପକ୍ଷେ କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ବିଭିନ୍ନ ରାଜନୈତିକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଲକଡାଉନ ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏହା ସହ ରାଜ୍ୟକୁ ବିମାନ ଓ ରେଳ ସେବା ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକଡାଉନ ସମୟକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ । କରୋନାର ମୁକାବିଲା କରିବା ପାଇଁ ଲକଡାଉନକୁ ଶତପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବି ନବୀନଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।