କଫି ଚାଷୀଙ୍କ ପାଇଁ ଖୁସି ଖବର, ଓଡିଶାରେ ଖୁବଶୀଘ୍ର ଆରମ୍ଭ ହେବ କଫି ମିସନ
କଫି ଚାଷୀଙ୍କ ପାଇଁ ଖୁସି ଖବର, ଓଡିଶାରେ ଖୁବଶୀଘ୍ର ଆରମ୍ଭ ହେବ କଫି ମିସନ
ଭୁବନେଶ୍ବର : କଫି ଚାଷୀଙ୍କ ପାଇଁ ବଡ ଖୁସି ଖବର ଓଡ଼ିଶାରେ ଖୁବ୍ଶୀଘ୍ର କଫି ମିସନ ଆରମ୍ଭ କରାଯିବ। ଏନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି। ୬ଟି ଜିଲ୍ଲାରେ ୯୦ ହଜାର ହେକ୍ଟର ଜମିରେ ଚାଷ କରାଯାଇ ୧୪ ହଜାର ୪୬୦ ମେଟ୍ରିକ ଟନ୍ ଉତ୍ପାଦନର ଆଶା ରହିଛି। ରାଜ୍ୟରେ ମିଲେଟ୍ ମିସନ ଏବଂ ପଣସ ମିସନ୍ କାର୍ଯ୍ୟକାରୀ ହୋଇଛି। ଫୁଲ, ମସଲା ମିସନ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। କିଛି ଦିନ ପୂର୍ବରୁ ଛତୁ ମିସନ କାର୍ଯ୍ୟକାରୀ ନେଇ ମଧ୍ୟ କୃଷି ମନ୍ତ୍ରୀ ଏବଂ ସଚିବ ସୂଚନା ଦେଇଥିଲେ।
ସୂଚନା ଅନୁଯାୟୀ, ୭୦ ଦଶକରେ କରାଯାଇଥିବା ସର୍ଭେ ଅନୁସାରେ ଓଡ଼ିଶାରେ ୩.୪୭ ଲକ୍ଷ ହେକ୍ଟର ଜମିରେ କଫି ଚାଷ କରାଯାଇ ପାରିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ୧.୪୬ ଲକ୍ଷ ହେକ୍ଟର କଫି ଚାଷର କ୍ଷମତା ଥିବା ନେଇ ଆକଳନ କରିଛି କଫି ବୋର୍ଡ। ରାଜ୍ୟରେ ବର୍ତ୍ତମାନ ୪୪୦୦ ହେକ୍ଟର ଜମିରେ ଏହି ଚାଷ ହେଉଛି। ସରକାରଙ୍କ ସହଯୋଗରେ କୋରାପୁଟରେ ଚଳିତ ବର୍ଷ ୩୩୦୦ ଏକର ଜମିରେ ଚାଷ କରାଯାଉଛି। ଚଳିତ ବର୍ଷ ସରକାରଙ୍କ ସହଯୋଗରେ କଳାହାଣ୍ଡିରେ ୧୦ ହେକ୍ଟର ଜମିରେ ଚାଷ କରାଯାଇଛି। କଫି ମିସନ କାର୍ଯ୍ୟକାରୀ ହେଲେ ପ୍ରାଥମିକ ପର୍ଯ୍ୟାୟରେ କୋରାପୁଟ ଏବଂ କଳାହାଣ୍ଡି ସହିତ ରାୟଗଡ଼ା, ଗଜପତି, କେନ୍ଦୁଝର ଏବଂ କନ୍ଧମାଳରେ କାର୍ଯ୍ୟକାରୀ ହେବ। ଏଥିରେ ସରକାରୀ ଭାବରେ ୮୦ ହଜାର ଏବଂ କମ୍ପାନି ପକ୍ଷରୁ ୧୦ ହଜାର ଏକର ଜମିରେ ଚାଷ କରାଯିବ। ବର୍ତ୍ତମାନ ରାଜ୍ୟରେ ୪୬୦ ମେଟ୍ରିକ ଟନ କଫି ଉତ୍ପାଦିତ ହେଉଛି।




admin 