ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୨୦୨୩ ବର୍ଷ ଓଡ଼ିଶା ଏବଂ ଆମ ଦଳ ବିଜେପି ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ : ଧର୍ମେନ୍ଦ୍ର
ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୨୦୨୩ ବର୍ଷ ଓଡ଼ିଶା ଏବଂ ଆମ ଦଳ ବିଜେପି ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ : ଧର୍ମେନ୍ଦ୍ର
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ବୁଥ ସ୍ତରରେ ସଂଗଠନକୁ ମଜଭୁତ କରିବା ସହ ଦୁଇ ସୂତ୍ରୀ ଉପାୟକୁ ଆଧାର କରି ନିର୍ବାଚନ ଲଢ଼ିବ । ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶ କରିବା ଆମ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ଗଣମାଧ୍ୟମର ପ୍ରଶ୍ନରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୨୦୨୩ ବର୍ଷ ଓଡ଼ିଶା ଏବଂ ଆମ ଦଳ ବିଜେପି ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ । ଏକ ଦାୟିତ୍ୱସମ୍ପନ୍ନ ଓ କ୍ରମବର୍ଦ୍ଧିଷ୍ଣୁ ଶକ୍ତିଶାଳୀ ସଂଗଠନ ଭାବରେ ଆମ ଦଳ ନିର୍ବାଚନରେ ପ୍ରଥମତଃ ଗରିବ, ମହିଳା, ଜନଜାତି ଏବଂ ଯୁବବର୍ଗଙ୍କର ଥିବା ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିବ । ସ୍ଥାନୀୟ ସରକାର ବିରୋଧରେ ଥିବା ଅବ୍ୟବସ୍ଥା ଓ ଅସନ୍ତୋଷର ପ୍ରବକ୍ତା ହେବ । ଦ୍ୱିତୀୟତଃ ସୁଦୃଢ଼ ଜନସଂଗଠନ ପାଇଁ ଉଦ୍ୟମ କରାଯିବ । ରାଜ୍ୟର ୩୭ ହଜାରରୁ ଅଧିକ ବୁଥରେ ସଂଗଠନାତ୍ମକ କାର୍ୟ୍ୟକୁ ଅଧିକ ମଜଭୁତ୍ କରାଯିବ । ଏହି ଦୁଇ ସୂତ୍ରୀ ଫର୍ମୁଲା ବିଜେପି ଏଜେଣ୍ଡାରେ ରହିଛି ।
ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାର୍ତ୍ତାକୁ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପହଞ୍ଚାଯିବ । ଏଥିପାଇଁ ଦଳ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି । ବିଶେଷ ଭାବରେ କାର୍ୟ୍ୟକ୍ରମ ଏବଂ ପ୍ରବାସ ମାଧ୍ୟମରେ ଲୋକଙ୍କ ପାଖରେ ସବୁ ବାର୍ତ୍ତା ପହଞ୍ଚାଯିବ । ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶ ବିଜେପିର ମୁଖ୍ୟ ଲକ୍ଷ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।




admin 