ଅର୍ପିତାଙ୍କ ଘରୁ ମିଳିଛି ଆଉ ୨୯ କୋଟି

ଅର୍ପିତାଙ୍କ ଘରୁ ମିଳିଛି ଆଉ ୨୯ କୋଟି

କୋଲକାତା:  ପ୍ରଥମେ ୨୧ କୋଟି ନଗଦ ଟଙ୍କା ମିଳିଥିଲା। ଆଜି ମିଳିଛି ଆଉ ୨୯ କୋଟି। ଟିଣ ବାକ୍ସରେ ୨ ହଜାର ଓ ୫୦୦ ଟଙ୍କାର ଶହ ଶହ ବଣ୍ଡଲ। ଯୁଆଡେ ଚାହିଁବ ଖାଲି ଟଙ୍କା ଓ ଟଙ୍କା। ୧୮ ଘଣ୍ଟା ଧରି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରେ ରେଡ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଟିମ୍‌। କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ୍‌ ଟଙ୍କା ଜବତ ହୋଇଛି। ଏଥିସହ ୫ କିଲୋ ଓଜନର ସୁନା ଅଳଙ୍କାର ମଧ୍ୟ ଇଡି ହାତରେ ଲାଗିଛି।
ବିଡା ବିଡା ନୋଟ୍‌, ଗଦା ଗଦା ଟଙ୍କା। ତା’ ସହିତ ଭରି ଭରି ସୁନା। ଯେତେ ଖୋଜିଲେ ସେତେ ବାହାରୁଛି। ଘର ତ ନୁହେଁ ଇଏ କୁବେର ଭଣ୍ଡାର। ଆଉ ଏ ଭଣ୍ଡାର ହେଉଛି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର। ଯେଉଁଠି ଭରି ରହିଛି ଅମାପ ଟଙ୍କା ଓ ସୁନା। ଯାହାକୁ ଦେଖି ତାଜୁବ ଇଡି ଅଧିକାରୀ।
ଗତକାଲି ପୁଳା ପୁଳା ଟଙ୍କା ଠାବ ହେବା ପରେ ରାତି ସାରା ଅନିଦ୍ରା ହୋଇ ଇଡି  ଓ ବ୍ୟାଙ୍କ ଅଧିକାରୀ ମାନେ ଟଙ୍କା ଗଣିଥିଲେ।  ଏଥିପାଇଁ ଟଙ୍କା ଗଣା ମେସିନ ମଧ୍ୟ ବ୍ୟବହାର କରାଯାଇଥିଲ।  ୫ କିଲୋଗ୍ରାମ୍ ସୁନା ଅଳଙ୍କାର ସମେତ ଆହୁରି ମୂଲ୍ୟବାନ ସାମଗ୍ରୀ ବି ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଛି। ଟଙ୍କା ଗଣତି ପରେ ଆଜି ୧୦ଟି ବାକ୍ସରେ ୨୯ କୋଟି ଟଙ୍କା ଟ୍ରକରେ ନିଆଯାଇଛି। ଏବେ ସୁଦ୍ଧା ଅର୍ପିତାଙ୍କ ୨ଟି ବାସଭବନରୁ ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିଥିବା ବେଳେ ହିସାବ ଜାରି ରହିଛି।

୨୦୧୪ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରି ଚାଲିଛି।  ବେଲଘରିଆରେ ଅର୍ପିତାଙ୍କର ଦୁଇଟି ଫ୍ଲାଟ ଅଛି। ଇଡି ଅଧିକାରୀମାନେ ଗତକାଲି ସେଠାରେ ଚଢ଼ଉ ପାଇଁ ପହଞ୍ଚିଥିଲେ। ହେଲେ ଫ୍ଲାଟର ତାଲା ପଡ଼ିଥିଲା। ତାଲା ଭାଙ୍ଗି ଅଧିକାରୀମାନେ ଘର ଭିତରକୁ ପଶିଥିଲେ। ଘରେ ଏକ ଆଲମିରାରେ ବିପୁଳ ନଗଦ ଟଙ୍କା ଥିବା ଜଣାପଡ଼ିଥିଲା। ପୂର୍ବରୁ ଅର୍ପିତାଙ୍କ ଅନ୍ୟଏକ ଫ୍ଲାଟ୍‌ରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।