ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ
ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ଏକତରଫା ବିଜୟ ହାସଲ କରି ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଏହି ଟେଷ୍ଟ ଚେତେଶ୍ୱର ପୂଜାରାଙ୍କ ୧୦୦ତମ ଟେଷ୍ଟ ମ୍ୟାଚ ହେବ।ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ଭଲ ରହିଛି। ୬୩ ବର୍ଷ ଧରି ଏଠାରେ କଙ୍ଗାରୁ ଟିମ୍ ବିପକ୍ଷରେ ଟିମ ଇଣ୍ଡିଆ କୌଣସି ଟେଷ୍ଟ ମ୍ୟାଚ ହାରିନାହିଁ। ଆହତ ସମସ୍ୟା ଏବଂ ଭାରତୀୟ ସ୍ପିନରଙ୍କୁ ଖେଳିବାର ଦୁର୍ବଳତା ଭିତରେ ସଂଘର୍ଷ କରୁଥିବା ପ୍ୟାଟ୍ କମିନ୍ସଙ୍କ କଙ୍ଗାରୁ ଦଳ କିନ୍ତୁ ଲଢ଼ୁଆ ପ୍ରତ୍ୟାବର୍ତନ କରିବା ଆଶାରେ ରହିଛି।
ଅଷ୍ଟ୍ରେଲିଆ କିନ୍ତୁ ଏଠାରେ ୨୦୧୩ରେ ଶେଷ ଟେଷ୍ଟ୍ ଖେଳିଥିଲା। ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ସକାରାତ୍ମକ ଦିଗ ହେଉଛି ନାଥନ୍ ଲାୟନ। ଗତ ସପ୍ତାହରେ ନାଗପୁରରେ ପଦାର୍ପଣରେ ୭ ୱିକେଟ୍ ନେଇଥିବା ଅଫସ୍ପିନର୍ ଟଡ୍ ମର୍ଫିଙ୍କ ସହ ମିଶି ଲାୟନ୍ ଦିଲ୍ଲୀରେ କିଛି କରିସ୍ମା କରିବେ ବୋଲି ଦଳ ଆଶା ରଖିଛି। ଚେତେଶ୍ବର ପୂଜାରା ନିଜର ୧୦୦ତମ ଟେଷ୍ଟକୁ ସ୍ମରଣୀୟ ରଖିବାକୁ ନିଶ୍ଚିତ ଚାହିଁବେ। ପୂଜାରା ନିଜ ସ୍ବାଭାବିକ ଖେଳ ଖେଳିଲେ ତାଙ୍କ ୱିକେଟ୍ ପାଇଁ କଙ୍ଗାରୁ ଖେଳାଳିଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ।




admin 