ଅମ୍ପନ କ୍ଷତି ପାଇଁ ରାଜ୍ୟ ମାଗିଲା ୧୬,୨୩୫ କୋଟି ।

ଅମ୍ପନ କ୍ଷତି ପାଇଁ ରାଜ୍ୟ ମାଗିଲା ୧୬,୨୩୫ କୋଟି ।

ଅମ୍ପନ କ୍ଷତି ପାଇଁ ରାଜ୍ୟ ମାଗିଲା ୧୬,୨୩୫ କୋଟି ।
ଭୁବନେଶ୍ୱର: ମହାବାତ୍ୟା ଅମ୍ପନ ଓଡ଼ିଶାର ବହୁଳ କ୍ଷତି କରିଛି । ଭିତ୍ତିଭୂମି ପୁନଃ ନିର୍ମାଣ ସହ ଥଇଥାନ ପାଇଁ ଆମକୁ ୧୬ ହଜାର ୨୩୫ କୋଟି ଦିଅ । କେନ୍ଦ୍ରକୁ ସ୍ମାରକ ପତ୍ର ଦେଇ ଏ ଦାବି ରଖିଛି ଓଡ଼ିଶା । ରାଜ୍ୟ ବାରମ୍ବାର ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବାରୁ ଦୀର୍ଘମିଆଦି ଭିତ୍ତିରେ ବାତ୍ୟା ପ୍ରତିରୋଧକ ଭିତ୍ତିଭୂମି ନିର୍ମାଣ, କଚ୍ଚାଘରକୁ ପକ୍କା ଘର କରିବା ଓ ସମୁଦ୍ର ତଟବର୍ତ୍ତୀ ନଦୀବନ୍ଧ ଗୁଡ଼ିକର ସୁଦୃଢ଼ୀକରଣ କରିବାକୁ ରାଜ୍ୟ ପ୍ରସ୍ତାବ ଦେଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସମ୍ପର୍କିତ ସ୍ମାରକ ପତ୍ର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିକଟରେ ଦାଖଲ କରିଛନ୍ତି । ରାଜ୍ୟ ସରକାର ସ୍ମାରକପତ୍ରରେ ଦର୍ଶାଇଛନ୍ତି, ବିଜୁଳିର ସ୍ଥାୟୀ ଭିତ୍ତିଭୂମି ପାଇଁ ୧୧,୧୧୪ କୋଟି ଆବଶ୍ୟକ । କ୍ଷତିଗ୍ରସ୍ତ ୧ ଲକ୍ଷ ୬୬ ହଜାର କଚ୍ଚାଘରକୁ ପକ୍କା କରିବାକୁ ୪୫୦୦ କୋଟି, ସମୁଦ୍ର ନିକଟରେ ଥିବା ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ୭୬୭ କୋଟି ଆବଶ୍ୟକ । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ୨୦୨ କୋଟି ମାଗିଛନ୍ତି ସରକାର । ବହୁଳ ପ୍ରଭାବିତ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଏ ଅର୍ଥ ଖର୍ଚ୍ଚ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଗତ ମେ ୨୦ ରେ ମହାବାତ୍ୟା ଅମ୍ପନ ରେ ଓଡ଼ିଶାର ୪ ଜିଲ୍ଲାରେ ବେଶି କ୍ଷତି ହୋଇଥିଲା । ଅମ୍ପନ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଆକାଶ ମାର୍ଗରୁ ବାତ୍ୟାଞ୍ଚଳର କ୍ଷତି ଅନୁଧ୍ୟାନ କରିବା ସହ ୫ ଶହ କୋଟିର ତତ୍କାଳ ସହାୟତା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏନଡିଆରଏଫରୁ ୫ ଶହ କୋଟି ରାଜ୍ୟକୁ ପ୍ରଦାନ କରିଥିଲେ । ଗତ ୩ ତାରିଖ ସନ୍ଧ୍ୟାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଦଳ ଭୁବନେଶ୍ୱରରେ ପହଞ୍ଚି ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେୀ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ଏ ସମୟରେ ରାଜ୍ୟ ସରକାର ପ୍ରାଥମିକ ଆକଳନ ଅନୁସାରେ ୨୦ ହଜାର କୋଟିର ଦାବି ରଖିଥିଲେ ।