ଅଗଷ୍ଟ ୧୦ ପୂର୍ବରୁ ରୁଷିଆ ଛାଡ଼ିବ ବିଶ୍ୱର ପ୍ରଥମ କୋଭିଡ ଟିକା
ଅଗଷ୍ଟ ୧୦ ପୂର୍ବରୁ ରୁଷିଆ ଛାଡ଼ିବ ବିଶ୍ୱର ପ୍ରଥମ କୋଭିଡ ଟିକା
admin
Jul 31, 2020 - 05:34
Updated: Jul 31, 2020 - 05:34
ମସ୍କୋ: ବିଶ୍ୱରେ ଅଦ୍ୟାବଧି ଗୋଟିଏ ୭୦ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୬୫ ହଜାରରୁ ଅଧିକ ଲୋକଙ୍କ ମୃତୁ୍ୟର କାରଣ ସାଜିଥିବା ମହାମାରୀ କୋଭିଡ-୧୯ ର ମୁକାବିଲା ପାଇଁ ରୁଷିଆ ଆଗାମୀ ଦୁଇ ସପ୍ତାହ ଭିତରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଏହି ଟିକାର ସାର୍ବଜନୀନ ବ୍ୟବହାର କରାଇବ ବୋଲି ଜଣାଯାଇଛି । ଦେଶର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନଷ୍ଟିଚୁ୍ୟଟ ଅଫ ଏପିଡର୍ମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ୱାରା ପ୍ରସ୍ତୁତ ଉକ୍ତ ଟିକାର ଲୋକାର୍ପଣ ଆସନ୍ତା ଅଗଷ୍ଟ ୧୦ କିମ୍ବା ତାହା ପୂର୍ବରୁ କରାଯିବ ବୋଲି ସୂଚନା ମିଳିଛି । ତେବେ ପ୍ରଥମେ ଏହାକୁ ସମ୍ମୁଖଭାଗ ସ୍ୱାସ୍ଥ୍ୟକର୍ମୀମାନେ ବ୍ୟବହାର କରିବା ଲାଗି ଯୋଜନା ହୋଇଥିବା ଜଣେ ଅଧିକାରୀ କହିଛନ୍ତି । ଅପରପକ୍ଷେ, କୌଣସି ଟିକାର ସାର୍ବଜନୀନ ବ୍ୟବହାର ପୂର୍ବରୁ ତାହାର ନିରାପତ୍ତା ଓ ଫଳପ୍ରଦତା ସ୍ପଷ୍ଟ କରିବା ଲାଗି ତିନି ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷଣ ନିହାତି ଜରୁରୀ ହୋଇଥିବା ବେଳେ ଗମାଲେଇ ପ୍ରତିଷ୍ଠାନ ତାହା କରିନଥିବା ଅଭିଯୋଗ ଉଠିଛି । ଫଳରେ ଟିକାର ସମ୍ଭାବ୍ୟ ସଫଳତାରେ ପ୍ରଶ୍ନବାଚୀ ଲାଗିଛି । ଅପରପକ୍ଷେ, କୋଭିଡ ଟିକା ବିକାଶରେ ବିଶ୍ୱରେ ଅଗ୍ରଣୀ ଥିବା ଆମେରିକାର ମଡର୍ଣ୍ଣା ଓ ଫାଇଜର କମ୍ପାନୀ ସେମାନଙ୍କ ଦ୍ୱାରା ପୃଥକ ଭାବେ ପ୍ରସ୍ତୁତ ଟିକା ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷା ସାରି ତୃତୀୟ ପର୍ଯ୍ୟାୟ ଜାରି ରଖିଥିବା ବେଳେ ଗମାଲେଇ ପ୍ରତିଷ୍ଠାନ ଏହା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସାରିନଥିବା ଆଲୋଚନା ହେଉଛି ।