ଏଥର ଓଡ଼ିଆରେ ସରକାରୀ ନଥିପତ୍ର

ଏଥର ଓଡ଼ିଆରେ ସରକାରୀ ନଥିପତ୍ର

ଓଡିଆ ଅଶ୍ମିତା, ଏହା ଏମିତି ଏକ ପ୍ରଶଙ୍ଗ ରହିଥିଲା ଯାହା ଓଡିଶା ରାଜନୀତିର ଭାଗ୍ୟ ପରିବର୍ତ୍ତନ କରିଦେଲା ।  ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନୀ ସଫଳତା ପାଇଥିବା ମୁଖ୍ୟବିରୋଧୀ ବିଜେପି ଏବେ ସରକାରରେ । ନୂଆ ସରକାରଙ୍କର କିନ୍ତୁ ଦେଖିବାକୁ ମିଳିଛି କିଛି ଭିନ୍ନ ଆଭିମୁଖ୍ୟ  । ସମସ୍ତ ବିଭାଗର ନଥିପତ୍ର କାର୍ଯ୍ୟ ଏଥର ଓଡ଼ିଆ ଭାଷାରେ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖାଲି ସେତିକି ନୁହେଁ  ମୋହନଙ୍କ ନିର୍ଦ୍ଦେଶକୁ ପାଳନ ପାଇଁ କି ପଦକ୍ଷେପ ନିଆଯାଇଛି ତାହା ୨୯ତାରିଖ ସୁଦ୍ଧା ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ବିଭାଗୀୟ ସଚିବମାନଙ୍କୁ ରିପୋର୍ଟ ମଧ୍ୟ ମଗାଯାଇଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ବିଭିନ୍ନ ବିଭାଗ ପକ୍ଷରୁ ଓଡ଼ିଆ ଭାଷାରେ ନଥିପତ୍ର ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଗତ ୨୫ତାରିଖରେ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନର ରାଜ୍ୟ ସରକାର ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ ଉପରେ ପ୍ରାଧାନ୍ୟ ଦେଉଥିବାରୁ ଅନୁଷ୍ଠାନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ତ୍ତମାନଠାରୁ ସମସ୍ତ ନଥିକାର୍ଯ୍ୟ ଯଥା ଟିପ୍ପଣୀ, ଆଦେଶ,ବିଜ୍ଞପ୍ତି, ଚିଠି, ସଭା ବିବରଣୀ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନ କରିବାକୁ ଜଣାଇ ଦିଆଗଲା ବୋଲି ‘କାର୍ଯ୍ୟାଳୟ ଆଦେଶ’ରେ ଉଲ୍ଲେଖ ରହିଛି । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।