ଆଜି କଟକ ଆସିବେ ମମତା

ଆଜି କଟକ ଆସିବେ ମମତା

କଟକ: ଆଜି କଟକ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ମମତା ଭେଟିବେ। ଏହାସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ। ମମତା ବାନାର୍ଜୀଙ୍କ ସହିତ ଏକ ଟିମ୍ ବି ମଧ୍ୟ ଆସିବ। ସେହି ଟିମ୍ ଭୁବନେଶ୍ୱରକୁ ଯାଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସାର ଅନୁଧ୍ୟାନ କରିବ। ପଶ୍ଚିମବଙ୍ଗର ଯେଉଁ ଯାତ୍ରୀଙ୍କ ମୃତ୍ୟୁ ହୋଇଛି, ଗତକାଲି ହାୱାଡ଼ାରେ ସେମାନଙ୍କର ମୃତଦେହ ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ମମତା ବାନାର୍ଜୀ।

ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ବୋଲି ମମତା କହିଥିଲେ। ଏହା ସହିତ ମୃତକଙ୍କ ପରିବାରର ଜଣକୁ ହୋମଗାର୍ଡ ଭାବେ ଚାକିରି ଦେବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜୀ। ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ ବୋଲି ଦିଦି କହିଛନ୍ତି।