ସ୍ବାସ୍ଥ୍ୟ ରାଜଧାନୀରେ ବଢ଼ୁଛି ଶିଶୁ ମୃତ୍ୟୁହାର

ସ୍ବାସ୍ଥ୍ୟ ରାଜଧାନୀରେ ବଢ଼ୁଛି ଶିଶୁ ମୃତ୍ୟୁହାର

କଟକ : ଗଲା ତିନି ବର୍ଷରେ କଟକରେ ୯୭୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେଥିରୁ ଜନ୍ମରୁ ବର୍ଷକ ଭିତରେ ୯୩୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ତଥ୍ୟ କହୁଛି। ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଲା ଗତବର୍ଷ ୨୭୫ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୪୩୪ରେ ପହଞ୍ଚିଛି।

କଟକ ଭଳି ବିକଶିତ ଓ ଉନ୍ନତ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିବା ଜିଲ୍ଲାର ଚିତ୍ର ଯଦି ଏଇଆ, ତାହେଲେ ମାଲକାନଗିରି, କୋରାପୁଟ, ଗଜପତି ଭଳି ଉପାନ୍ତ ଜିଲ୍ଲାର ବାସ୍ତବ ସ୍ଥିତି କଣ ଥିବ, ତାହା ହିଁ ଏବେ ଚିନ୍ତାର କାରଣ ହୋଇଛି। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଅନେକ ସ୍ବପ୍ନିଳ ଯୋଜନା ହେଉଛି।

କଟକରେ ଏସସିବି ମେଡିକାଲରୁ ଆରମ୍ଭ କରି ରାଜ୍ୟର ଏକମାତ୍ର ସରକାରୀ ଶିଶୁ ଚିକିତ୍ସା କେନ୍ଦ୍ର ଶିଶୁ ଭବନ ସମେତ ଅନେକ ବଡ଼ ବଡ଼ ଘରୋଇ ନର୍ସିଂହୋମ, ଉନ୍ନତମାନର ହସ୍ପିଟାଲ ଥାଇ ବି ଏଭଳି ସ୍ଥିତିର ଏବେ କାରଣ ଖୋଜା ଚାଲିଛି।

୨୦୨୦-୨୧ରେ କଟକ ଜିଲ୍ଲାରେ ୨୭୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ (ଜନ୍ମରୁ ୧ ବର୍ଷ ) ଭିତରେ ୨୪୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଜନ୍ମରୁ ୫ବର୍ଷ ଭିତରେ ୨୩ଜଣ ପିଲାଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ସେହିପରି ୨୦୨୧-୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୭୫ରେ ପହଞ୍ଚିଛି।

୦-ରୁ ୧ ବର୍ଷ ଭିତରେ ୨୬୨ ଶିଶୁ ଓ ୦ ରୁ ୫ ବର୍ଷ ଭିତରେ ୧୩ଜଣ ଶିଶୁ ପ୍ରାଣ ହରାଇଛନ୍ତି। ୨୦୨୨ ଓ ୨୦୨୩ର ଏପ୍ରିଲ୍‌ ସୁଦ୍ଧା ଶିଶୁ ମୃତ୍ୟୁ ସଂଖ୍ୟା ୪୩୪ ପହଞ୍ଚି ସାରିଛି। ସେଥିରୁ ୦ରୁ ୧ବର୍ଷ ଭିତରେ ୩୮୯ ଶିଶୁ ଓ (୦ ରୁ ୫ ବର୍ଷ ଭିତରେ ୪୫ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। 

ବଡ଼ମ୍ବା ବ୍ଲକ୍‌ରେ ସର୍ବାଧିକ ୬୦ ଶିଶୁଙ୍କ ମୃତ୍ୟୁ ଘଟିଛି। ତା ପଛକୁ ଟାଙ୍ଗୀରେ ୫୮, ଆଠଗଡ଼ରେ ୩୧, ବାଙ୍କୀରେ ୧୦, ବାରଙ୍ଗରେ ୧୬, କଟକ ସଦରରେ ୩୭, ବାଙ୍କୀ-ଡମପଡାରେ ୨୫, କଣ୍ଟାପଡାରେ ୧୭, ନରସିଂହପୁରରେ ୫୦, ମାହାଙ୍ଗାରେ ୩୩, ନିଆଳିରେ ୧୨, ନିଶ୍ଚିନ୍ତକୋଇଲିରେ ୧୯, ସାଲେପୁରରେ ୪୫, ତିଗିରିଆରେ ୨୧ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।