ଅର୍କେଶ ନାରାୟଣ ସିଂଦେଓଙ୍କ ନାଁରେ ମାମଲା ରୁଜୁ
ବଲାଙ୍ଗିର: ବଲାଙ୍ଗିର ରାଜପରିବାରର ସାନବୋହୂ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂଙ୍କ ନାତୁଣୀ ଅଦ୍ରିଜାକୁମାରୀ ସିଂଦେଓ ଦେଇଥିବା ଏତଲାକୁ ଶେଷରେ ପୁଲିସ ପଞ୍ଜିକୃତ କରିଛି । ଗତ ଗୁରୁବାର ଉତ୍ତରାଖଣ୍ଡ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ରାଜପୁର ରୋଡ ଥାନା ପୁଲିସ ଅର୍କେଶ ନାରାୟଣ ସିଂଦେଓଙ୍କ ନାଁରେ ମାମଲା ରୁଜୁ କରିଛି । ଅର୍କେଶଙ୍କ ସମେତ ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ, ମାଁ ବିଜୟଲକ୍ଷ୍ମୀ ଦେବୀ, ଭାଇ କଳିକେଶ ନାରାୟଣ ସିଂଦେଓ, ଭାଉଜ ମେଘନା ରାଣା ଏବଂ କେତେଜଣ ଘରୋଇ କର୍ମଚାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି ।
ଅଦ୍ରିଜାଙ୍କ ଏତଲାକୁ ଭିତ୍ତିକରି ଆଇପିସିର ଧାରା ୩୨୩, ୩୫୨, ୫୦୪ ଏବଂ ୫୦୬ରେ ମାମଲାର ତଦନ୍ତ ଜାରି ରହିଛି । ଏକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ କେବଳ ବଲାଙ୍ଗିର ନୁହେଁ ସାରାରାଜ୍ୟରେ ଏନେଇ ଚର୍ଚ୍ଚା ଜୋରଧରିଛି । ଅର୍କେଶଙ୍କ ବାପା ଅନଙ୍ଗ ଉଦୟ ସିଂଦେଓ ଏବଂ ଭାଇ କଳିକେଶ ନାରାୟଣ ସିଂଦେଓଙ୍କ ବିଜେଡି ପାୱାର କରିଡରରେ ଭଲ ଦବ୍ଦବା ରହିଥିବାରୁ ମାମଲା ରୁଜୁପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୫ତାରିଖ ଅର୍କେଶଙ୍କ ବିରୋଧରେ ପତ୍ନୀ ଅଦ୍ରିଜାଙ୍କ ନିର୍ୟାତନା ଅଭିଯୋଗ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଥିଲା । ସ୍ୱାମୀଙ୍କ ଉପସ୍ଥିତିରେ ଶାଶୂଘର ଲୋକେ ଅଦ୍ରିଜାଙ୍କୁ ନିର୍ୟାତନା ଦେଉଥିବା ସେ ଅଭିଯୋଗ କରିଥିଲେ । ଶାଶୂଘର ଲୋକେ ତାଙ୍କୁ ମାରପିଟ କରୁଥିବା, ଏପରିକି ଡେରାଡୁନସ୍ଥିତ ଘରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ତାଙ୍କୁ ମାନସିକ ନିର୍ୟାତନା ଦେଉଥିବା କହିଥିଲେ । ରାଜପରିବାର ତାଙ୍କୁ ନିର୍ବାଚନ ସମୟରେ ବ୍ୟବହାର କରୁଥିବାରୁ ସେ ବାରଣ କରିବା ପରେ ପରିବାର ଲୋକେ ତାଙ୍କୁ ବିତାଡିତ କରିବାକୁ ଚାହୁଁଥିବା ସେ ଗଣମାଧ୍ୟମକୁ କହିଥିଲେ ।




admin 