ନବଜ୍ୟୋତିଙ୍କୁ ବାଲେଶ୍ୱର ଚିନ୍ତା : ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନବଜ୍ୟୋତିଙ୍କୁ ବାଲେଶ୍ୱର ଚିନ୍ତା : ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବାଲେଶ୍ୱରରେ ହେଉ ରାଜସ୍ୱ ବିଭାଗୀୟ କମିଶନର ବା ଆରଡ଼ିସିଙ୍କ ଅଫିସ । ବାଲେଶ୍ୱର ପୌର ପରିଷଦକୁ ମହାନଗର ନିଗମରେ ପରିଣତ କରାଯାଉ । ସ୍ଥାନୀୟ ପ୍ରଶାସନକୁ ସଶକ୍ତ କରିବା ପାଇଁ ଜଳେଶ୍ୱରକୁ ସବଡିଭିଜନ କରାଯାଉ । ଏଭଳି ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ।

ସେ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ସେ ରାଜନୈତିକ ଦୃଷ୍ଟିକୋଣରୁ ପରାମର୍ଶ ଦେଉନାହାନ୍ତି । ଉତର ଓଡ଼ିଶାର ବିକାଶକୁ ଆଖିଆଗରେ ରଖି ସେ ଦାବି ଉପସ୍ଥାପନ କରୁଛନ୍ତି । ଆସନ୍ତା କ୍ୟାବିନେଟ ବୈଠକରେ ଉତର ଓଡ଼ିଶାର ଅଭିବୃଦ୍ଧି ତଥା ରାଜ୍ୟର ସାମଗ୍ରୀକ ଉନ୍ନତି ପାଇଁ ଏନେଇ ବିଚାର କରିବାକୁ ସେ ନିବେଦନ କରିଛନ୍ତି ।

ନବଜ୍ୟୋତି କହିଛନ୍ତିଯେ, ଗତ ୫ ବର୍ଷ ଧରି ସେ ବାଲେଶ୍ୱରରେ ରାଜନୀତିକ କାର୍ଯ୍ୟ କରି ଆସୁଛନ୍ତି । ଅନେକ କ୍ଷେତ୍ରରେ ଉତର ଓଡ଼ିଶା ପଛରେ ପଡ଼ିଥିବା ସେ ଅନୁଭବ କରୁଛନ୍ତି । ରାଜ୍ୟ କ୍ୟାବିନେଟରେ ସେ ଦେଉଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଇ ପଦକ୍ଷେପ ନେବା ଦରକାର । ରାଜ୍ୟରେ ଏବେ ୩ଟି ଆରଡ଼ିସି ଡିଭିଜନ ଥିବାବେଳେ ଉତର ଓଡ଼ିଶା ପାଇଁ ଏକ ଆରଡ଼ିସି ଡିଭିଜନ କରାଯିବାର ଆବଶ୍ୟକତା ରହିଛି । ବିଗତ ଦିନମାନଙ୍କରେ ରାଜ୍ୟ ସରକାର ଅନେକ ପୌର ପରିଷଦକୁ ମହାନଗର ନିଗମରେ ପରିଣତ କରିଛନ୍ତି । ଉପକୂଳ ଓଡ଼ିଶାରେ କଟକ ଓ ଭୁବନେଶ୍ୱର, ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ଓ ରାଉରକେଲା ଏବଂ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁରକୁ ମହାନଗର ନିଗମରେ ପରିଣତ କରାଯାଇଛି । କିନ୍ତୁ ଉତର ଓଡ଼ିଶାକୁ ଏକ୍ଷେତ୍ରରେ ଅବହେଳା କରାଯାଇଛି । ତେଣୁ ବାଲେଶ୍ୱର ପୌର ପରିଷଦକୁ ମହାନଗର ନିଗମରେ ପରିଣତ କରିବା ପାଇଁ ସେ ଦାବି ଉପସ୍ଥାପନ କରିଛନ୍ତି । ଏହାଛଡ଼ା ଜଳେଶ୍ୱରରେ ଏକ ସବଡିଭିଜନ ଅଫିସ ପ୍ରତିଷ୍ଠା ପାଇଁ ମଧ୍ୟ ସେ ଦାବି କରିଛନ୍ତି ।