ମଣିପୁର ଯାଉଥିବା ରାହୁଲ୍ ଗାନ୍ଧୀଙ୍କ ଗାଡ଼ିକୁ ଚୁରାଚାନ୍ଦପୁରରେ ଅଟକାଇଲା ପୁଲିସ
ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଚୁରାଚାନ୍ଦପୁର ଜିଲ୍ଲାରେ ପ୍ରବେଶ କରୁଥିବା ବେଳେ ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ‘କନ୍ଭୟ’କୁ (ଗାଡ଼ିସମୂହ) ପୁଲିସ ଅଟକାଇଛି।

ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଚୁରାଚାନ୍ଦପୁର ଜିଲ୍ଲାରେ ପ୍ରବେଶ କରୁଥିବା ବେଳେ ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ‘କନ୍ଭୟ’କୁ (ଗାଡ଼ିସମୂହ) ପୁଲିସ ଅଟକାଇଛି।
ଚୁରାଚାନ୍ଦପୁର ଜିଲ୍ଲା ହେଉଛି ମଣିପୁରରେ ଚାଲିଥିବା ହିଂସାକାଣ୍ଡରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାମାନଙ୍କରୁ ଗୋଟିଏ।ପ୍ରାପ୍ତ ସୂଚନା ଅନୁସାରେ, ମଣିପୁରର ଇମ୍ଫାଲ୍ରେ ଅବତରଣ କରିବା ପରେ ରାଜ୍ୟରେ ଆଦିମ ଅଧିବାସୀମାନଙ୍କ ସଂଘର୍ଷ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଜନତାକୁ ଭେଟିବା ଲାଗି ଗାନ୍ଧୀ ଚୁରାଚାନ୍ଦପୁର ଯାଉଥିଲେ। କିନ୍ତୁ, ନିରାପତ୍ତା କାରଣ ଦର୍ଶାଇ ବାଟରେ ଇମ୍ଫାଲ୍ଠାରୁ ୨୦ କିଲୋମିଟର୍ ଦୂର ବିଷ୍ଣୁପୁରଠାରେ ପୁଲିସ ତାଙ୍କ ଗାଡ଼ି ଅଟକାଇଛି। ଚୁରାଚାନ୍ଦପୁରରେ ପହଞ୍ଚିବା ଲାଗି ସଡ଼କ ପଥ ପରିବର୍ତ୍ତେ ହେଲିକପ୍ଟର୍ରେ ଯାଆନ୍ତୁ ବୋଲି ସେମାନେ ରାହୁଲ୍ଙ୍କୁ କହିଛନ୍ତି।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ପୁଣି ହିଂସାକାଣ୍ଡ ଘଟିବା ଆଶଙ୍କା ଥିବାରୁ ସତର୍କତା ସ୍ବରୂପ ବିଷ୍ଣୁପୁରରେ ଆମେ ସେମାନଙ୍କ ଗାଡ଼ି ଅଟକାଇଛୁ।
ସ୍ମରଣଯୋଗ୍ୟ, ‘ଜନଜାତି’ ଆଖ୍ୟା ଦାବି କରୁଥିବା ମଣିପୁରୀ ସମ୍ପ୍ରଦାୟ ବିରୋଧରେ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ ମେ ୩ ତାରିଖ ଦିନ ଆୟୋଜିତ ‘ଟ୍ରାଇବାଲ୍ ସଲିଡାରିଟି ମାର୍ଚ’ରେ ସଂଘର୍ଷ ହେବା ପରଠାରୁ ରାଜ୍ୟରେ ହିଂସାକାଣ୍ଡ ଲାଗି ରହିଛି। ହିଂସାକାଣ୍ଡରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି।
ହିଂସାକାଣ୍ଡଦ୍ବାରା ପ୍ରଭାବିତ ପ୍ରାୟ ୫୦,୦୦୦ ଲୋକଙ୍କୁ ସମଗ୍ର ରାଜ୍ୟରେ ଥିବା ୩୦୦ ରିଲିଫ୍ କ୍ୟାମ୍ପ୍ରେ ଆଶ୍ରୟ ଦିଆଯାଇଛି।