ମହିଳାଙ୍କ ମୁଣ୍ଡକାଟ ଘଟଣା : ପରିଚୟ ପାଇବା ପାଇଁ ପୁଲିସ ପୋଷ୍ଟର ମାରିଲା

ମହିଳାଙ୍କ ମୁଣ୍ଡକାଟ ଘଟଣା : ପରିଚୟ ପାଇବା ପାଇଁ ପୁଲିସ ପୋଷ୍ଟର ମାରିଲା

 ମହିଳାଙ୍କ ମୁଣ୍ଡକାଟ ଘଟଣା : ପରିଚୟ ପାଇବା ପାଇଁ ପୁଲିସ ପୋଷ୍ଟର ମାରିଲା
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ଘଟଣାରେ ଆଜି ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସମ୍ପୃକ୍ତ ମହିଳାଙ୍କ ପରିଚୟ ପାଇବା ପାଇଁ ପୁଲିସ ଭୁବନେଶ୍ୱରର ବିଭିନ୍ନସ୍ଥାନରେ ପୋଷ୍ଟର ମାରିଛି । ମହିଳାଙ୍କ ସମ୍ପର୍କରେ ସୂଚନା ଦେବାକୁ ପୁଲିସ ଉକ୍ତ ପୋଷ୍ଟରରେ ୨ଟି ଫୋନ ନମ୍ବର ବି ଜାରି କରିଛି । ସମ୍ପୃକ୍ତ ନମ୍ବରଗୁଡ଼ିକ ହେଲା-୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬ । ଯଦି କୌଣସି ବ୍ୟକ୍ତ ସମ୍ପୃକ୍ତ ମହିଳା ସମ୍ପର୍କରେ କିଛି ବି ଜାଣିଥାନ୍ତି ତେବେ ପୁଲିସକୁ ଉକ୍ତ ନମ୍ବରରେ କଲ କରି ଜଣାଇବାକୁ ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ପ୍ରକାଶ ଯେ, ଦାସପୁର ଗାଁର ଜଣେ ବାସିନ୍ଦା ସେହି ରାସ୍ତାରେ ଯିବା ବେଳେ ମୃତଦେହଟି ତାଙ୍କ ନଜରକୁ ଆସିଥିଲା । ମୃତଦେହକୁ ନିରିଖେଇକି ଦେଖିବାରୁ ଜଣାପଡିଥିଲା ଯେ, ମହିଳାଙ୍କ ଶରୀରରେ କେବଳ କୁର୍ତ୍ତି ଥିଲା । ଅନ୍ତବସ୍ତ୍ର ପିନ୍ଧିଥିଲେ । ହାତରେ ନାଲି ଶଙ୍ଖା ପିନ୍ଧିଥିଲାବେଳେ ତାଙ୍କ ଡାହାଣ ହାତ କହୁଣୀ ତଳେ ‘ଓଁ’ ଲେଖାଥିବା ଏକ ଟାଟୁ ଥିଲା । ମୃତଦେହଠୁ କେଇ ମିଟର ଦୂରରେ ଭୂଇଁରେ ପ୍ରଚୁର ରକ୍ତ ପଡ଼ିଥିଲା । ପାଖରେ ପଡ଼ିଥିବା ଧାରୁଆ ଛୁରିରେ ରକ୍ତ ଛିଟା ଓ କିଛି ଚୁଟି ଲାଗିଥିଲା । ବୁଦା ଭିତରେ ୨ଟି ରକ୍ତ ଭିଜା ଗ୍ଲୋଭସ୍‌ ପଡ଼ିଥିଲା । ମହିଳାଙ୍କ ଦୁଇ ଜଙ୍ଘ ଛାଲି ହୋଇଯାଇଥିଲା । ଲାଗୁଥିଲା କେହି ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଆଣି ସେଠାରେ ଫିଙ୍ଗିଛି । ଖବର ପ୍ରଚାର ହେବା କ୍ଷଣି ଘଟଣାସ୍ଥଳରେ ଲୋକଙ୍କ ଗହଳି ବଢ଼ିଥିଲା । ମୁଣ୍ଡ ବିହୀନ ଏହି ଶବକୁ ଦେଖି ସଭିଏଁ ଛାନିଆ ହୋଇଯାଇଥିଲେ । ଘଟଣାସ୍ଥଳରେ ସ୍ପେଶାଲ ସ୍କ୍ୱାଡ୍‌ର ମୁଖିଆ ସଞ୍ଜୀବ ଶତପଥୀଙ୍କ ସହ ଚନ୍ଦକା ଥାନା, ଭରତପୁର ଥାନା ପୁଲିସ୍‌ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ । ଡିସିପି ଉମାଶଙ୍କର ଦାଶ ମଧ୍ୟ ସେଠାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରି ଫେରିଥିଲେ । ପ୍ରାୟ ଘଣ୍ଟାଏ ଭିତରେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଗଲା । ପରେ ଆରମ୍ଭ ହେଲା ପୁଲିସ୍‌ ଟିମ୍‌ର ମୁଣ୍ଡ ଖୋଜିବା ଅଭିଯାନ । ମୃତଦେହଠୁ ଲମ୍ବିଥିବା ମୋରମ ରାସ୍ତାର ଶହେ ମିଟର ଦୂରରେ ଏକ ବ୍ୟାଗ୍‌ ମିଳିଥିଲା । ଯେଉଁଥିରେ ମହିଳା କିଛି ଡ୍ରେସ୍‌, ଶାଢ଼ୀ ଓ ଅନ୍ତବସ୍ତ୍ର ଥିଲା । ତେବେ ଉକ୍ତ ବ୍ୟାଗରୁ ମହିଳାଙ୍କ ପରିଚୟପତ୍ର କି ଅନ୍ୟ କିଛି ଠିକଣା ମିଳି ନଥିଲା ।