ବିଜେଡିର ଦାବି, ଜୟନାରାୟଣଙ୍କୁ ବହିଷ୍କାର କର

ବିଜେଡିର ଦାବି, ଜୟନାରାୟଣଙ୍କୁ ବହିଷ୍କାର କର

 ବିଜେଡିର ଦାବି,  ଜୟନାରାୟଣଙ୍କୁ ବହିଷ୍କାର କର

ଭୁବନେଶ୍ୱର:  ବିରୋଧୀ ଦଳ ନେତା ପଦରୁ ଜୟନାରାୟଣ ମିଶ୍ରଙ୍କୁ ତୁରନ୍ତ ବିଜେପି ବହିଷ୍କାର କରୁ ବୋଲି ବିଜେଡି ଦାବି କରିଛି । ସମ୍ବଲପୁର ଜିଲ୍ଲାପାଳ କାର୍ୟ୍ୟାଳୟ ଘେରାଉ ସମୟରେ ସ୍ଥାନୀୟ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୁଲିସ ଇନ୍ସପେକ୍ଟର ଧକ୍କା ମରାମରି ହେବା ଘଟଣାରେ ବିଜେଡି ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର  ଏକ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଜୟନାରାୟଣଙ୍କୁ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ, ଜୟନାରାୟଣଙ୍କ ବିରୋଧରେ ୧୪ଟି ମାମଲା ରହିଛି । ସେ ଜେଲ୍ ମଧ୍ୟ ଯାଇଛନ୍ତି ଓ ଏବେ ଜାମିନରେ ଆସିଛନ୍ତି । ଓଡ଼ିଶା ବିଜେପି ମହିଳାମାନଙ୍କ ସମ୍ମାନ ଓ ମର୍ୟ୍ୟାଦାର କଥା କହୁଛି । କିନ୍ତୁ ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଶାରୀରିକ ନିର୍ୟାତନା ଦେଇ ବିରୋଧୀ ଦଳ ନେତା କ’ଣ ଏଭଳି ସମ୍ମାନ ପ୍ରଦର୍ଶନ କରୁଛନ୍ତି କି? ମହିଳାଙ୍କୁ ଅପମାନିତ କରିବା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ । ଅତୀତରେ ଜୟନାରାୟଣଙ୍କ ଏଭଳି କାର୍ୟ୍ୟ ପାଇଁ ବିଜେପି ଲଜ୍ଜିତ ହୋଇଛି । ତେଣୁ ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର ପାଇଁ ଦାବି କରିବା ସହ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ତୁରନ୍ତ ଓଡ଼ିଶା ବିଜେପି ଓ ଜୟନାରାୟଣ ରାଜ୍ୟର ସାଢ଼େ ୪କୋଟି ଲୋକ ବିଶେଷକରି ମହିଳାଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।