ସୁବାସ ସିଂ କଟକ ମେୟର ପ୍ରାର୍ଥୀ!

ସୁବାସ ସିଂ କଟକ ମେୟର ପ୍ରାର୍ଥୀ!

ସୁବାସ ସିଂ କଟକ ମେୟର ପ୍ରାର୍ଥୀ!

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି  । ଏବେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି କଟକ ଓ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିନାହାନ୍ତି  । ଚଳିତ ଥର ସିଧାସଳଖ ମେୟର ନିର୍ବାଚନ ହେଉଥିବାରୁ ଟାଣୁଆ ପ୍ରାର୍ଥୀ ଦେବାକୁ ମନସ୍ଥ କରିଛି ବିଜୁ ଜନତା ଦଳ  । 

ଭୁବନେଶ୍ୱର ମେୟର ଆସନଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବାବେଳେ କଟକ ମେୟର ଆସନଟି ସାଧାରଣ ବର୍ଗ ରହିଛି  । ଏହି ପରିପ୍ରେକ୍ଷୀରେ କଟକରୁ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ କରାଯାଇପାରେ ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ଜୋର ଧରିଛି  । କଟକ ମେୟର ପ୍ରାର୍ଥୀ ପାଇଁ ପୂର୍ବରୁ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ସହ ବି କେତେକ ନେତା ଆଲୋଚନା କରିଥିଲେ  । କିନ୍ତୁ ସେମାନେ ରାଜି ହୋଇନଥିଲେ  । ଏହି ପରିପ୍ରେକ୍ଷୀରେ ସୁବାସଙ୍କ ଉପରେ ନଜର ରହିଛି  । କଟକର ଜଣେ ଟାଣୁଆ ନେତା ଭାବେ ସୁବାସ ସିଂଙ୍କର ସୁନାମ ରହିଛି  । ତେବେ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ସୁବାସ ସିଂ ଏବେ ରାଜ୍ୟସଭା ସାଂସଦ ଅଛନ୍ତି  । ତାଙ୍କର କାର୍ଯ୍ୟକାଳ ଆହୁରି ୪ ବର୍ଷ ରହିଛି  ।  ତେବେ ସୁବାସଙ୍କୁ ପ୍ରାର୍ଥୀ କରି ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହୁଁଥିବା ଜଣାପଡ଼ିଛି  । ସୁବାସ ମେୟର ହେଲେ ରାଜ୍ୟସଭା ଆସନ ଫାଙ୍କା ପଡ଼ିବ  । ଏହି ଆସନରେ ଆଉ ଜଣେ ନେତା ରାଜ୍ୟସଭାକୁ ଯାଇପାରିବେ  । ଖୁବଶୀଘ୍ର ଏହି ଚର୍ଚ୍ଚା ଉପରେ ଯବନିକା ପଡ଼ିବ ବୋଲି ଆଶା କରାଯାଉଛି  । 

ସୁବାସ ସିଂ କଟକରୁ ମେୟର ପ୍ରାର୍ଥୀ ହେବେକି ନାହିଁ ତାହା ସ୍ପଷ୍ଟ ହୋଇନଥିଲେବି ଆଜି ତାଙ୍କ ପୁଅ ସୁବାସ ସିଂଙ୍କ ଫେସବୁକ ପେଜକୁ ପ୍ରମୋସନ କରିଛନ୍ତି  । ତେଣୁ ସେ ହିଁ ପ୍ରାର୍ଥୀ ହେବେବୋଲି ଚର୍ଚ୍ଚା ଦୃଢ଼ୀଭୂତ ହୋଇଛି  ।