ସାମ୍ବାଦିକମାନଙ୍କ ପାଇଁ ବଡ ଘୋଷଣା, କରୋନାରେ ମୃତ୍ୟୁବରଣ କଲେ ମିଳିବ ୧୫ ଲକ୍ଷର ସହାୟତା

ସାମ୍ବାଦିକମାନଙ୍କ ପାଇଁ ବଡ ଘୋଷଣା, କରୋନାରେ ମୃତ୍ୟୁବରଣ କଲେ ମିଳିବ ୧୫ ଲକ୍ଷର ସହାୟତା

ସାମ୍ବାଦିକମାନଙ୍କ ପାଇଁ ବଡ ଘୋଷଣା, କରୋନାରେ ମୃତ୍ୟୁବରଣ କଲେ ମିଳିବ ୧୫ ଲକ୍ଷର ସହାୟତା
କାର୍ଯ୍ୟରତ ସାମ୍ବାଦିକମାନେ କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କଲେ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । କରୋନା ବିରୋଧରେ ଏବେ ସାରା ଦେଶ ଲଢ଼ୁଛି । ଏହି ସମୟରେ ଡାକ୍ତର, ପୁଲିସଙ୍କ ଭଳି ସାମ୍ବାଦିକମାନେ ବି ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି । କରୋନା ସମୟରେ ସାଧାରଣ ଜନତାଙ୍କ ଦୁର୍ଦ୍ଧଶା, ବାହାର ରାଜ୍ୟରେ ଫସି ଯାଇଥିବା ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ତଥ୍ୟମୂଳକ ଖବର ପ୍ରକାଶ କରାଯାଉଥିବାବେଳେ କରୋନା ସମ୍ପର୍କିତ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ତେବେ ଅନ୍ୟ କରୋନା ଯୋଦ୍ଧାମାନଙ୍କ ପାଇଁ ରାଜ୍ୟ ସରକାର ୫୦ ଲକ୍ଷର ବୀମା ବ୍ୟବସ୍ଥା କରିଥିବାବେଳେ ସାମ୍ବାଦିକମାନଙ୍କ ପାଇଁ କିଛି କରାଯାଇନଥିଲା । ଏନେଇ ସାମ୍ବାଦିକଙ୍କ ମହଲରୁ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏକ୍ଷେତ୍ରରେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଆଗେଇ ଆସିଥିଲେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ କେତେକ ରାଜ୍ୟମାନଙ୍କରେ ସାମ୍ବାଦିକମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା କରାଯାଇଥିବାବେଳେ ଓଡ଼ିଶାରେ କିନ୍ତୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବ । ସୂଚନାଯୋଗ୍ୟଯେ, ଶ୍ରୀ ମଙ୍ଗରାଜ ଜଣେ ସାମ୍ବାଦିକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଜଣେ ସଫଳ ସାମ୍ବାଦିକଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ମଙ୍ଗରାଜ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସମ୍ପ୍ରତି ସେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି । ସାମ୍ବାଦିକମାନଙ୍କର ବିକାଶ ଓ ଉନ୍ନତି ପାଇଁ ସେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ଓଡ଼ିଶା ୱେବ ସାମ୍ବାଦିକ ସଂଘର ସଭାପତି ସମର ପ୍ରଧାନ, ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା, ଉପସଭାପତି ମାନସ ମହାପାତ୍ର, ଯୁଗ୍ମ ସମ୍ପାଦକ ବିଦ୍ୟାଧର ପାତ୍ର ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।