ସାବଧାନ! କରୋନାଠାରୁ ବି ଭୟଙ୍କର!

ସାବଧାନ! କରୋନାଠାରୁ ବି ଭୟଙ୍କର!

ସାବଧାନ! କରୋନାଠାରୁ ବି ଭୟଙ୍କର!

ଲଣ୍ଡନ: କୋଭିଡ-୧୯ ଏକ ସାଧାରଣ ମହାମାରୀ (ଏପିଡେମିକ୍) ନୁହେଁ, ଏହା ଏକ ଭୟଙ୍କର ମହାମାରୀ (ପାନଡେମିକ୍) ଯାହା ପୃଥିବୀର କୌଣସି ଦେଶକୁ ଛାଡ଼ିନାହିଁ । ଏହାପରେ ଯଦି ଆଉ ଏକ ମହାମାରୀ-କାରକ ଭୂତାଣୁର ଆବିର୍ଭାବ ଘଟେ ତେବେ ତାହା କୋଭିଡ-୧୯ଠାରୁ ବି ଅଧିକ ଭୟଙ୍କର ହେବ ବୋଲି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ନିର୍ମାତା ସାରା ଗିଲବର୍ଟ କହିଛନ୍ତି । ସେଥିପାଇଁ କୋଭିଡ-୧୯ ଆମକୁ ଯାହା ଶିକ୍ଷା ଦେଇଛି, ତାକୁ ଆମେ କେବେ ବି ଭୁଲିବା ଉଚିତ ନୁହେଁ ଏବଂ ତଦନୁଯାୟୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ମତରେ ନୋଭେଲ କରୋନା ଭାଇରସ୍ ବିଶ୍ୱର ୫.୨୬ ନିୟୁତ ଲୋକଙ୍କ ଜୀବନ ନେଇସାରିଲାଣି । ବିଶ୍ୱବ୍ୟାପୀ ରାଜକୋଷଗୁଡ଼ିକରୁ ଲକ୍ଷ ଲକ୍ଷ କୋଟି ଡଲାର ପୋଛିନେଇ ସାରିଲାଣି । ଏହା ଶହ ଶହ କୋଟି ଲୋକଙ୍କ ଜୀବନ-ଜୀବିକା ଉଜାଡ଼ି ସାରିଲାଣି । ସତକଥା ହେଲା, ଏହାପରେ ଯଦି ଆଉ ଏକ ମହାମାରୀ ଆସେ ତେବେ ଏହାଠାରୁ ବି ଭୟଙ୍କର ହେବ । ଏହା ଅଧିକ ସଂକ୍ରାମକ ବା ମାରାତ୍ମକ ବା ଉଭୟ ହୋଇପାରେ ବୋଲି ଟିକା ନିର୍ମାତା ସାରା ଗିଲବର୍ଟ କହିଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟିକାବିଜ୍ଞାନ ଅଧ୍ୟାପକ ଗିଲବର୍ଟ କହିଛନ୍ତି ଯେ, ନୋଭେଲ କରୋନା ଭୂତାଣୁକୁ ଆମ ଜୀବନକାଳ ଭିତରେ ଆସିଥିବା ଶେଷ ଭୂତାଣୁ ବୋଲି ଭାବିବା ଉଚିତ ନୁହେଁ । ପରବର୍ତ୍ତୀ ଭୂତାଣୁ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । କୋଭିଡକୁ ମୁକାବିଲା କରିବାକୁ ଯାଇ ଆମେ ଯେଉଁ ଜ୍ଞାନ ଓ ଅନୁଭୂତି ଅର୍ଜନ କରିଛୁ, ତାହାକୁ ଆମେ ହରାଇବା ଉଚିତ ନୁହେଁ ।

କୋଭିଡ-୧୯ ବିରୋଧରେ ଆମର ଲଢେ଼ଇରେ ଅଭାବ ରହିଛି । ଧନୀ ଦେଶଗୁଡ଼ିକ ବୁଷ୍ଟର ନେଉଥିବା ବେଳେ ଅନେକ ଗରିବ ଦେଶ ଟିକା ପାଉନାହାନ୍ତି । ସାର୍ସ-କୋଭ୍-୨ ଜନିତ ମହାମାରୀର ପରିଚାଳନା ଉପରେ ସମୀକ୍ଷା କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପରି ରୋଗର ମୁକାବିଲା ପାଇଁ ଏକ ସ୍ଥାୟୀ ପାଣ୍ଠିର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି । ଓମିକ୍ରନ୍ ବିଷୟରେ ଗିଲବର୍ଟ କହିଛନ୍ତି ଯେ ଏହା ଅଧିକ ସଂକ୍ରାମକ । କିନ୍ତୁ ଯେପର୍ଯ୍ୟନ୍ତ ଆମେ ଏହାର କରାମତି ବିଷୟରେ ସବୁକିଛି ଜାଣିନେ ସେ ପର୍ଯ୍ୟନ୍ତ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।