ଲଘୁଚାପ ଭରସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଲଘୁଚାପ ଭରସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଁଇବା ପରେ ଲଘୁଚାପ ଯୋଗୁଁ ପ୍ରଥମ ପର୍ୟ୍ୟାୟରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ରହିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇଥିଲା। ଏହାପର ଠାରୁ କୌଣସି ଲଘୁଚାପ ନ ହେବା କାରଣରୁ ରାଜ୍ୟରେ ବିଶେଷ ବର୍ଷା ହୋଇପାରୁ ନାହିଁ। ଗତ ଦୁଇ ଦିନ ତଳେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ରାଜ୍ୟରେ କିଛି ପରିମାଣରେ ବର୍ଷା ହୋଇଥିଲା। ହେଲେ ଘୂର୍ଣ୍ଣିବଳୟର ପ୍ରଭାବ କମ୍ ରହିବା କାରଣରୁ ବିଶେଷ ବର୍ଷା କରାଇବାରେ ସକ୍ଷମ ହୋଇପାରି ନାହିଁ। ସାଧାରଣତଃ ବଙ୍ଗୋପସାଗରରେ ଲଘୁଚାପ ହେବା ଦ୍ୱାରା ମୌସୁମୀ ଟ୍ରଫ ବଙ୍ଗୋପସାଗରକୁ ଆସିଥାଏ। ଏହା ସହିତ ବଙ୍ଗୋପସାଗରରେ ଲଘୁଚାପ ହେଲେ ଉଭୟ ବଙ୍ଗୋପସାଗର ଓ ଆରବସାଗରରୁ ପବନ ଟାଣିଥାଏ। ଉଭୟ ପଟରୁ ଜଳୀୟବାଷ୍ପ ମିଳିବା ଯୋଗୁଁ ବର୍ଷା ହେବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥାଏ।
ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ରବିବାର କିଛି ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବା ସହିତ ସୋମବାରଠାରୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।