ଲକଡାଉନ ବେଳେ ଗଣଦୁଷ୍କର୍ମ, ୮ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା

ଲକଡାଉନ ବେଳେ ଗଣଦୁଷ୍କର୍ମ, ୮ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା

ଲକଡାଉନ ବେଳେ ଗଣଦୁଷ୍କର୍ମ, ୮ ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା
ଭୁବନେଶ୍ୱର: ରାଜଧାନୀରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ । ପୁଣି ଏଥିରେ ସମ୍ପୃକ୍ତ ଅଛନ୍ତି ୮ ଜଣ ପୁଲିସ କର୍ମଚାରୀ । ସେମାନେ ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଛନ୍ତି । ଥାନାରେ ଅଭିଯୋଗ ଆସିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି । ଦୁଇ ମାସ ତଳର ଘଟଣା ପଦାକୁ ଆସିଛି । ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି । ମହିଳା ଥାନା ଆଇଆଇସି ଘଟଣାର ତଦନ୍ତ କରୁଥିବା ବେଳେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ମାମଲାର ତଦାରଖ କରୁଛନ୍ତି । ମହିଳା ଥାନା ପୁଲିସ ପୀଡ଼ିତା ନାବାଳିକାଙ୍କର ଡାକ୍ତରୀ ମାଇନା କରାଇବା ସହ ସିଆରପିସି ଧାରା ୧୬୧ ଅନୁସାରେ ନାବାଳିକାଙ୍କ ବୟାନ ରେକର୍ଡ କରିଛି । ଏଥିସହିତ ସିଆରପିସି ଧାରା ୧୬୪ ଅନୁସାରେ ମାଜିଷ୍ଟ୍ରେଟଙ୍କ ନିକଔରେ ମଧ୍ୟ ବୟାନ ରେକର୍ଡ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ନାବାଳିକାଙ୍କ ଘର ଇନଫୋସିଟି ଥାନା ଅଞ୍ଚଳରେ । ପ୍ରାୟ ଦୁଇ ମାସ ତଳେ ଲକଡାଉନ ଡୁ୍ୟଟିରେ ନିୟୋଜିତ ଥିବା ୭ ରୁ ୮ ଜଣ ପୁଲିସ କର୍ମଚାରୀ ନାବାଳିକାଙ୍କୁ ଏକୁଟିଆ ଦେଖି ନିକାଞ୍ଚନ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଥିଲେ । ଘଟଣା ପ୍ରକାଶ କଲେ ଗୁଳି କରି ମାରିଦେବେ ବୋଲି ଧମକ ଦେଇଥିଲେ । ସେମାନଙ୍କ ଭିତରେ ଜଣେ ଡେପୁଟି ସୁବେଦାର ଥିବା କୁହାଯାଉଛି । ଘଟଣା ପରେ ନାବାଳିକାଟି ମାନସିକ ଚାପରେ ରହୁଥିଲେ । ବାପା ମା ବାରମ୍ବାର ପଚାରିଥିଲେ ମଧ୍ୟ ପିଲାଟି ଭୟରେ ମୁହଁ ଖୋଲି ନଥିଲେ ।ତେବେ ଏବେ ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ତେଣୁ ଝିଅକୁ ସାଙ୍ଗରେ ଧରି ବାପା ଗତ ୪ ଦିନ ତଳେ ଇନଫୋସିଟି ଥାନାକୁ ଯାଇଥିଲେ । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ନାବାଳିକାଙ୍କ ବାପା ମହିଳା ଥାନାରେ ଲିଖିତ ଅଭିଯୋଗ କରନ୍ତୁ ବୋଲି ତାଙ୍କୁ କୁହାଯାଇଥିଲା । ତେଣୁ ସେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ ଦୁଷ୍କର୍ମକାରୀ ପୁଲିସ କର୍ମଚାରୀମାନେ କମିସନରେଟ ପୁଲିସର ନୁହନ୍ତି । ସେମାନେ ଅନ୍ୟ ଏକ ଜିଲ୍ଲାରୁ ଏଠାରେ ମୁତୟନ ହୋଇଥିଲେ । ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ କମିସନରେଟ ପୁଲିସର ସ୍ୱତନ୍ତ୍ର ଟିମ ଗଠିତ ହୋଇଛି । ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଘଟଣା ପ୍ରାୟ ଦୁଇ ତିନି ମାସ ତଳର । ଅଭିଯୋଗ ପାଇବା ପରେ ମାମଲା ରୁଜୁ କରାଯାଇଛି ଓ ଘଟଣାର ତଦନ୍ତ ଜାରି ରହିଛି ।