ମୁମ୍ବାଇରେ ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ୍

ମୁମ୍ବାଇରେ ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ୍

ମୁମ୍ବାଇରେ ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ୍

ମୁମ୍ବାଇ: କରେନାର ନୂଆ ଏକ୍ସଇ ପ୍ରଜାତି ଭୂତାଣୁ ଭାରତରୁ ଚିହ୍ନଟ ହେଲାଣି। ଏହାକୁ ନେଇ ଏବେ ପୁଣିଥରେ ଦେଶବାସୀ ଛାନିଆ। ଏହି ନୂଆ ପ୍ରଜାତିର ପ୍ରଥମ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଥିବା କୁହାଯାଇଛି । ଜଣେ ୫୦ ବର୍ଷୀୟା ମହିଳାଙ୍କଠାରେ ଏହି ପ୍ରଜାତିର ଭୂତାଣୁ ଠାବ ହୋଇଛି । ବିଏମସି ଅଧିକାରୀଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ସଂପୂର୍ଣ୍ଣ ଦୁଇଟି ଟିକା ନେଇଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ । ସେ ଅନ୍ୟ କୌଣସି ଗୁରୁତର ରୋଗରେ ପୀଡିତ ନାହାନ୍ତି । ବୃତ୍ତିରେ କଷ୍ଟ୍ୟୁମ ଡିଜାଇନର ଥିବା ଏହି ମହିଳା ଜଣଙ୍କ ଫେବୃଆରୀ ୧୦ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ ।

ଭାରତରେ ପହଞ୍ଚିବା ସମୟରେ ତାଙ୍କ ନମୁନା ନେଗେଟିଭ୍ ଆସିଥିଲା । ମାତ୍ର ମାର୍ଚ୍ଚ ୨ରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ମୁମ୍ବାଇର ୩୭୬ ସଂକ୍ରମିତଙ୍କ ସ୍ୱାବ ନମୁନାକୁ ପରୀକ୍ଷା କରାଯାଇଥିବାବେଳେ ଜଣଙ୍କ ଠାରେ ଏକ୍ସଇ ପ୍ରଜାତି ଠାବ ହୋଇଛି । ତେବେ ଏକ୍ସଇ ପ୍ରଜାତି ସଂକ୍ରମଣକୁ ଇଣ୍ଡିଆନ ସାର୍ସ ସିଓଭି-୨ ଜିନୋମିକ୍ କନସର୍ଟିୟମ୍ (ଆଇଏନଏସ୍ଏସିଓଜି)ର ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି ।

ସଂକ୍ରମିତଙ୍କ ନମୁନାରେ ଏକ୍ସଇ ପ୍ରଜାତି ଠାବ ହୋଇନାହିଁ । ଓମିକ୍ରନର ଦୁଇଟି ପ୍ରଜାତି ବିଏ-୧, ବିଏ-୨ ମିଶ୍ରଣରେ ସୃଷ୍ଟି ହୋଇଥିବା ହାଇବ୍ରିଡ୍ ପ୍ରଜାତିର ଭୂତାଣୁ ହେଉଛି ଏକ୍ସଇ ପ୍ରଜାତି ଭୂତାଣୁ, ଓମିକ୍ରନ ପ୍ରଜାତିର ଭୂତାଣୁ ଠାରୁ ୧୦ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହୋଇଥାଏ । ତେବେ ଏହି ନୂଆ ପ୍ରଜାତିି ଭୂତାଣୁକୁ ନେଇ ଆତଙ୍କିତ ନହେବାକୁ ମହାରାଷ୍ଟ୍ର କୋଭିଡ୍ ଟାକ୍ସଫୋର୍ସ କହିଛି । ଟାକ୍ସଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଜୋସି କହିଛନ୍ତି ଯେ, ଲୋକେ ଆତଙ୍କିତ ନହୋଇ କୋଭିଡର ଉପଯୁକ୍ତ ନିୟମ ଅନୁସରଣ କରିବା ଦରକାର ।