ମହିଳା , ଯୁବକ ଓ ଛାତ୍ରଙ୍କ ଭୋଟ ସବୁ ବିଜେଡି ଖାତାକୁ ଆସିଛି: ପ୍ରମିଳା
ମହିଳା , ଯୁବକ ଓ ଛାତ୍ରଙ୍କ ଭୋଟ ସବୁ ବିଜେଡି ଖାତାକୁ ଆସିଛି: ପ୍ରମିଳା
ଧାମନଗର : କିଏ ଜିତିବ ଧାମନଗର ବାଜି ? ଧାମନଗର ଭୋଟିଂ ନେଇ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ତର୍କ । କିଏ ଜିତିବ ଆଉ କିଏ ହାରିବ ଏନେଇ ନିଜ ନିଜର ମନ୍ତବ୍ୟ ରଖିବାରେ ସମସ୍ତେ ବ୍ୟସ୍ତ । ତେବେ ଧାମନଗର ଭୋଟିଂ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ରାଜସ୍ୱ ମନ୍ତ୍ରୀ । ମହିଳା , ଯୁବକ ଓ ଛାତ୍ରଙ୍କ ଭୋଟ ସବୁ ବିଜେଡି ଖାତାକୁ ଆସିଛି ।
ବିଜେଡି ନିଶ୍ଚିତ ଭାବରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି କହିଛନ୍ତି ପ୍ରମିଳା । ତା ସହିତ ଲୋକମାନେ ଯେମିତି ପ୍ରତିଶ୍ରୁତି ଦେଇଥିଲେ ସେହିଭଳି ଭୋଟ୍ ଆସିଛି । ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକେ କାହିଁକି ଭୋଟ ଦେବେ ? ସରକାରୀ ଦଳକୁ ଭୋଟ୍ ଦେଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କୁ ମିଳିପାରିବ ବୋଲି କହିଛନ୍ତି ।
ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୬ ତାରିଖରେ ଜଣାପଡ଼ିବ କିଏ ପିନ୍ଧିବ ଧାମନଗର ମୁକୁଟ । ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଗତକାଲି ଶାନ୍ତି ଶୃଙ୍ଖଳାରେ ମତଦାନ ସରିଛି । ମୋଟ୍ ୬୯ ଦଶମିକ ୦୪ ପ୍ରତିଶତ ଭୋଟିଂ ହୋଇଥିବା ଜିଲ୍ଲା ପ୍ରଶାସନ କହିଛି ।
୮୫ ହଜାର ମହିଳା ଭୋଟ ଦେଇଥିବା ବେଳେ, ୭୮ ହଜାର ପୁରୁଷ ଭୋଟ ଦେଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଷ୍ଟ୍ରଙ୍ଗ ରୁମ କରାଯାଇଛି । ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ରଖାଯାଇଛି ।
ସିଆରପିଏଫର ଗୋଟିଏ ପ୍ଲାଟୁନ ଫୋର୍ସ ଇନର କର୍ଡନ ଜଗିଥିବା ବେଳେ ମିଡିଲ କର୍ଡନକୁ ଜଗିଛନ୍ତି ଷ୍ଟେଟ ଆର୍ମଡ୍ ଫୋର୍ସ । ସେହିପରି ବାହ୍ୟ ବଳୟରେ ରହିଛନ୍ତି ଜିଲ୍ଲା ପୋଲିସର ଏକ ପ୍ଲାଟୁନ୍ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦରୋ । ୨୦୧୯ ସାଧାରଣ ନିର୍ବାଚନରେ ୭୨ ଦଶମିକ ୦୧ ପ୍ରତିଶତ ଭୋଟିଂ ହୋଇଥିଲା । ହେଲେ ଚଳିତ ବର୍ଷ ତାଠୁ ଅଳ୍ପ ପ୍ରତିଶତ ଭୋଟିଂ ହେଇଛି ।




admin 