ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ

ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ

ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ

ଭୁବନେଶ୍ୱର: ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଫେବୃୟାରୀ ୧୫ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧାନପରିଷଦ ଗଠନ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଲୋଡ଼ାଯାଇଛି। ବିଧାନସଭା ପକ୍ଷରୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି  ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ସେ ଯେଉଁ ଚିଠି ପଠାଇଥିଲେ ତାହା ଆଧାରରେ କେନ୍ଦ୍ର ସରକାରରୁ ଏକ ଚିଠି ଆସିଛି। ଯେଉଁଥିରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗରୁ କେତେକ ସ୍ପଷ୍ଟୀକରଣ ଚାହିଁଛନ୍ତି। ବିଧାନସଭା ପକ୍ଷରୁ ଏହି ଚିଠିକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି। କେନ୍ଦ୍ର ସରକାର ଯାହା ଲେଖିଛନ୍ତି ତା’ର ଉତ୍ତର ସଂସଦୀୟ ବ୍ୟାପାର ବିଭାଗ ଦେବ। ଏହାସହିତ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାର ପାଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । କାରଣ କେନ୍ଦ୍ର ସରକାର ଏହି ସଂକଳ୍ପ ପାଇଥିବାରୁ ହିଁ ପରିଷଦ ଗଠନକୁ ନେଇ ଆଉ କେତେକ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ତେବେ କେନ୍ଦ୍ର ସରକାର କେଉଁ ସବୁ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି ତାହା ଜଣାପଡ଼ିନି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପାରିତ କୌଣସି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ଫେବୃୟାରୀ ୧୨ତାରିଖରେ ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜ୍ଜୁ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବାଚସ୍ପତି ଶ୍ରୀ ପାତ୍ର ଫେବୃୟାରୀ ୧୫ତାରିଖରେ ବିସ୍ତୃତ ଦସ୍ତାବିଜ ସହ ୨ଟି ଚିଠି କେନ୍ଦ୍ର ମନ୍ତ୍ରୀ କିରେନ ରିଜ୍ଜୁଙ୍କୁ ଲେଖି ସମଗ୍ର ଘଟଣାକ୍ରମର ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଏହାସହିତ ବିଧାନ ପରିଷଦ ଗଠନକୁ ନେଇ ପାରିତ ସଂକଳ୍ପ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ଚିଠିକୁ ମଧ୍ୟ ବାଚସ୍ପତି ଗଣମାଧ୍ୟମକୁ ଅବଗତ କରାଇଥିଲେ ।