ବିଜେଡି ରାଜ୍ୟରେ ବିକାଶରେ ବାଧକ ସାଜିଛି କହିଲେ ପୃଥ୍ୱୀରାଜ ହରିଚନ୍ଦନ
ବିଜେଡି ରାଜ୍ୟରେ ବିକାଶରେ ବାଧକ ସାଜିଛି କହିଲେ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଜନବିରୋଧୀ ସରକାର ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ । ଲୋକଙ୍କ ସହ ଦଳକୁ ଯୋଡ଼ି ରଖିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରର ବିଫଳତା ବିରୁଦ୍ଧରେ କ୍ରମାଗତ ଆନ୍ଦୋଳନ ହେବ । ଆଉ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ବିଜେପି ଗୁରୁତ୍ୱ ଦେବ । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ବିଜେପି ପଦାଧିକାରୀ ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ତୃଣମୂଳସ୍ତରରେ ବିଜେପିର ଶକ୍ତି ବଢ଼ିଛି, ତେବେ ଦଳକୁ କିଭଳି ତୃଣମୂଳସ୍ତରରେ ଅଧିକ ଶକ୍ତିଶାଳୀ କରିବା ସେ ନେଇ ଆଲୋଚନା ହୋଇଛି । ବିଜେଡି ରାଜ୍ୟରେ ବିକାଶରେ ବାଧକ ସାଜିଛି । ଚାଷୀଙ୍କୁ ଅବହେଳା, ଯୁବକଙ୍କୁ ବେକାରୀ, ମହିଳାଙ୍କୁ ଅତ୍ୟାଚାର ଓ ବ୍ୟଭିଚାର ବ୍ୟତୀତ ଏ ବିଜେଡି ସରକାର ଆଉ କିଛି ଦେଇନାହିଁ । ଦଳର ପଦାଧିକାରୀ ବୈଠକ ଓ ପରେ କୋର କମିଟି ବୈଠକରେ ଆଗାମୀ ଦିନ ପାଇଁ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ ସହ ଏହା ଉପରେ ବିସ୍ତୃତ ଚର୍ଚ୍ଚା ହୋଇଛି । ଜନବିରୋଧୀ ରାଜ୍ୟ ସରକାରଙ୍କ ମିଛ ପ୍ରତିଶୃତି ଓ ପ୍ରତାରଣା ବିରୁଦ୍ଧରେ ବିଜେପି ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ଶାଣିତ କରିବ । ଧାମନଗର ଓ ପଦ୍ମପୁର ବିଧାନସଭାର ଉପନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରାଯାଇଥିଲା । ଯାହା ଦୋଷ ଦୁର୍ବଳତା ରହିଛି ସେଗୁଡ଼ିକରେ ସୁଧାର ଅଣାଯିବ।
ଗତ ୨୩ବର୍ଷ ଶାସନରେ ବିଜେଡି ସରକାର ଚାଷୀଙ୍କୁ ଅବହେଳା, ଯୁବକଙ୍କୁ ବେକାରୀ, ମହିଳାଙ୍କୁ ଅତ୍ୟାଚାର ଓ ବ୍ୟଭିଚାର ବ୍ୟତୀତ ଆଉ କିଛି ଦେଇନାହିଁ । ଓଡିଶାବାସୀଙ୍କୁ ଜଳସେଚନ, ବିଦ୍ୟୁତ, ବାସହୀନଙ୍କୁ ପକ୍କାଘର ଆଦି ଯୋଗାଇବାରେ ବିଫଳ ହୋଇଥିବା ଶାସକ ବିଜେଡି ଉଭୟ ସହରାଂଚଳ ଓ ଗ୍ରାମାଂଚଳ ବିକାଶରେ ବାଧକ ସାଜିଛି । ଏସମସ୍ତ ବିଷୟକୁ ନେଇ ଦଳ ପକ୍ଷରୁ ଏକ ଲଢ଼େଇର ଯୋଜନା ପ୍ରସ୍ତୁତ ହୋଇଛି । ଏହାବ୍ୟତୀତ ଜି-୨୦ ସମ୍ମିଳନୀ ଅନ୍ତର୍ଗତ ଓଡ଼ିଶାରେ ପ୍ରସ୍ତାବିତ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସଫଳ କରିବା ସହ ଓଡ଼ିଶାର ସୁନାମ ବିଶ୍ୱବ୍ୟାପୀ ପହଂଚାଇବା ପାଇଁ ସମସ୍ତ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଛି।
ଏହି ବୈଠକ ପରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ଦିନର ରୋଡ ମ୍ୟାପ୍ ସମ୍ପର୍କରେ ସବିଶେଷ ଚର୍ଚ୍ଚା ଆଲୋଚନା ହୋଇଥିଲା । ସେହିପରି ଦଳର ଆନ୍ଦୋଳନ କମିଟିର ନେତୃତ୍ୱମାନେ ଏକ ବୈଠକ କରି ଆଗାମୀ ଦିନରେ ଜନବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନର ଖସଡ଼ା ପ୍ରସ୍ତୁତ କରିଛନ୍ତି ।
ରାଜ୍ୟ ସଭାପତି ସମୀର ମହାନ୍ତିିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲସିଂତୋମାର ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀଗଣ ଉପସ୍ଥିତ ଥିଲେ।




admin 